ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ

ଆର.ଉଦୟଗିରି,୧୭ା୬(ମନୋଜ ପାଢ଼ୀ) ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ ଜଙ୍ଗଳଜାତ ଦ୍ରବ୍ୟ ଉପରେ। ପ୍ରଚଣ୍ଡ ଖରାରେ ବଣ ଜଙ୍ଗଲ ବୁଲି ମହୁଲଫୁଲ ସଂଗ୍ରହ କରନ୍ତି ଆଦିବାସୀ ମହିଳା। ସେହି ଫୁଲ ବିକ୍ରି କରି ଦୈନିକ ଗୁଜୁରାଣ ମେଣ୍ଟାନ୍ତି। ସରକାର ଆଦିବାସୀଙ୍କ ପାଇଁ ବହୁ ଯୋଜନା କରିଛନ୍ତି ସତ, କିନ୍ତୁ ସେହି ଯୋଜନା ଆଦିବାସୀଙ୍କ ନିକଟରେ ପହଞ୍ଚତ୍ପାରୁନି ତାହା ଦେଖିବାକୁ ସରକାରୀବାବୁଙ୍କ ପାଖରେ ସମୟର ଅଭାବ ରହିଯାଉଛି। ଅବକାରୀ ବିଭାଗ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସରେ ମହୁଲ ଗଚ୍ଛିତ ରଖିବା ଓ ବିକ୍ରୟ କରିବାକୁ ଲାଇସେନ୍ସ ପ୍ରଦାନ କରୁଛନ୍ତି। କିନ୍ତୁ ଲାଇସେନ୍ସଧାରୀମାନେ କେତେ ଟଙ୍କାରେ କ୍ରୟ କରିବେ ଓ କେତେ ଟଙ୍କାରେ ବିକ୍ରୟ କରିବେ ତାହାର କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରୁନାହିଁ। ଫଳରେ ଆଦିବାସୀମାନେ ଏତେ କଷ୍ଟ କରି ସୁଦ୍ଧା ମହୁଲ ଫୁଲର ଉଚିତ ମୂଲ୍ୟ ପାଇବାରେ ବଞ୍ଚିତ ହେଉଛନ୍ତି। ଲାଇସେନ୍ସଧାରୀମାନେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ଯଥା କେତେ ପରିମାଣରେ ମହୁଲଫୁଲ ଗଚ୍ଛିତ ରଖିପାରିବେ, ବର୍ତ୍ତମାନ କେତେ ପରିମାଣ ଗଚ୍ଛିିତ ଅଛି, କ୍ରୟ ଓ ବିକ୍ରୟ ମୂଲ୍ୟ ଦୋକାନ କିମ୍ବା ଗୋଦାମ ବାହାରେ ଲେଖିବାର ନଜରକୁ ଆସୁନାହିଁ। ଫଳରେ ମହୁଲଫୁଲର ଅଭାବୀ ବିକ୍ରି ପାଇଁ ସହାୟକ ହେଉଛି। ଚଳିତ ବର୍ଷ ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକରେ ବହୁତ ମହୁଲଫୁଲ ଅମଳ ହୋଇଛି। କିନ୍ତୁ ସରକାର ମହୁଲଫୁଲର ମୂଲ୍ୟ ନିର୍ଦ୍ଧାରଣ କରି ନ ଥିବା ଯୋଗୁ କିଲୋ ପ୍ରତି ୧୫ରୁ ୨୦ ଟଙ୍କା ମୂଲ୍ୟରେ କ୍ରୟ କରୁଛନ୍ତି ସ୍ଥାନୀୟ ମହୁଲ ବେପାରୀ। ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ଗୋଦାମ କରି କୁଇଣ୍ଟାଲ କୁଇଣ୍ଟାଲ ମହୁଲ ମହଜୁଦ୍‌ କରି ରଖୁଥିବା ବେଳେ ଏସବୁକୁ ବାହାର ରାଜ୍ୟକୁ ଚଢ଼ା ଦରରେ ଚାଲାଣ କରାଯାଉଛି। ବିଶେଷକରି ଜିଲା ପ୍ରଶାସନର କୋହଳ ମନୋଭାବ ପାଇଁ ଆଦିବାସୀ ପରିବାରଗୁଡ଼ିକ ପରିଶ୍ରମର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ସ୍ଥାଣୁତାର ସୁଯୋଗ ନେଇ ବେଧଡ଼କ ଭାବେ ଚୋରା ଚାଲାଣ ବଢ଼ିଚାଲିଛି। ତେଣୁ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ଉଚିତ ମୂଲ୍ୟ, ଲାଇସେନ୍ସଧାରୀଙ୍କ ବିରୋଧରେ ବେଆଇନ ଗଚ୍ଛିତ ଓ ବିକ୍ରୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ତେଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି। ରାଜ୍ୟ ସରକାର ଓ ଅବକାରୀ ବିଭାଗ ଦ୍ୱାରା ଯଦି ମହୁଲଫୁଲ ଦର ନିର୍ଦ୍ଧାରଣ ହୋଇଥାନ୍ତା ତାହାହେଲେ ଜଙ୍ଗଲରୁ ଆଦାୟ କରି ଆଣି ବିକ୍ରେତାଧାରୀ ଉପକୃତ ହୋଇପାରନ୍ତେ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।