ବାଗଦାଦ,୧୭।୭: ଇରାକର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟରେ ଥିବା ଏକ ସୁପରମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭାଇରାଲ ଫଟୋଗୁଡ଼ିକ ଦର୍ଶାଉଛି ଯେ କୋଠାର ଏକ ବଡ଼ ଅଂଶ ନିଆଁରେ ଜଳୁଛି ଏବଂ ଧୂଆଁ ବାହାରୁଛି। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ପାଞ୍ଚ ମହଲା ବିଶିଷ୍ଟ କୋଠାଟି ନିଆଁରେ ହୁତୁହୁତୁ ହୋଇ ଜଳୁଥିବା ଦେଖାଯାଉଛି, ଯେତେବେଳେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ସଂଘର୍ଷ କରୁଛନ୍ତି। ୱାସିଟ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ-ମିଆହି ସରକାରୀ INA ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ‘ଏକ ବଡ଼ ଶପିଂ ସେଣ୍ଟରରେ ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୫୦ ରେ ପହଞ୍ଚିଛି।’ ଯଦିଓ ଅଗ୍ନିକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, INA ଅନୁଯାୟୀ, ରାଜ୍ୟପାଳ କହିଛନ୍ତି ଯେ ତଦନ୍ତର ପ୍ରାଥମିକ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରାଯିବ।
ୱାସିଟ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ-ମିଆହି କହିଛନ୍ତି ଯେ ନିଆଁ ଏକ ହାଇପରମାର୍କେଟ ଏବଂ ଏକ ରେଷ୍ଟୁରାଣ୍ଟରେ ଲାଗିଥିଲା। ଯେତେବେଳେ ନିଆଁ ଲାଗିଲା, ସେତେବେଳେ ଅନେକ ଲୋକ ଖାଉଥିଲେ ଏବଂ କିଣାକିଣି କରୁଥିଲେ। ରାଜ୍ୟପାଳ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି ଏବଂ ନିଆଁ ଲିଭାଇଛନ୍ତି। ଏହି ଦୁଃଖଦ ଦୁର୍ଘଟଣା ଯୋଗୁ ସାରା ଦେଶରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। INA ରିପୋର୍ଟ ଅନୁଯାୟୀ, ରାଜ୍ୟପାଳ ମହମ୍ମଦ ଅଲ-ମିଆହି କୋଠା ଏବଂ ମଲ୍ର ମାଲିକଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଛନ୍ତି।