ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ ବାଲି ବ୍ୟବସାୟକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ଗାଁରେ ଗଣ୍ତଗୋଳ ହେବା ସହ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ୪ ଜଣ ଦୁର୍ବୃତ୍ତକୁ ଗ୍ରାମବାସୀ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ୮ ଜଣ ଦୁର୍ବୃତ୍ତ ଦୁଇଟି କାର୍‌ରେ ଆସି ଗ୍ରାମବାସୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳିି ଚାଳନା କରିଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ଗୋଡାଇବାରୁ କାର ଛାଡି ଦୌଡି ପଳାଉ ଥିବା ସମୟରେ ୪ ଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସୂଚାନା ଥାଉକି ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ କେନ୍ଦ୍ର କରି ଗତ ନଭେମ୍ବର ୨୮ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା । ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିଲେ। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Dharitri – The Largest & Most Trusted Odia Daily