Categories: Home Leftଖେଳ

ଗାଙ୍ଗୁଲିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ଜର୍ନାଲିଷ୍ଟଙ୍କ ମେସେଜର ସ୍କ୍ରିନଶଟ୍‌ ଶେୟାର କରିବା ପରେ ରିଦ୍ଧିମାନ ଶାହାଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଶାହାଙ୍କ ସହ ଜଣେ ଜର୍ନାଲିଷ୍ଟଙ୍କ ସହ ମେସେଜରେ ଆଦାନ ପ୍ରଦାନ ହୋଇଥିଲା। ସେହି ମେସେଜର ସ୍କ୍ରିନ ଶଟ୍‌ ଟୁଇଟରରେ ଶେୟାର କରିବା ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ।

“ ଖେଳାଳିଙ୍କୁ ଜଣେ ଜର୍ନାଲିଷ୍ଟ ଧମକାଇବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଭଳି ଘଟଣା ଟିମ୍‌ ଇଣ୍ଡିଆ ସହ ବାରମ୍ବାର ଘଟୁଛି। ପ୍ରତ୍ୟେକ କ୍ରିକେଟରଙ୍କ ହିତକୁ ଦୃଷ୍ଟିରେ ରଖି ବିସିସିଆଇକୁ ହସ୍ତକ୍ଷେପ କରିବାକୁ ପଡ଼ିବ” ବୋଲି ଶାସ୍ତ୍ରୀ ଟୁଇଟ୍‌ କରିଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ, ପ୍ରଜ୍ଞାନ ଓଝା, ହରଭଜନ ସିଂ ଉକ୍ତ ଜର୍ନାଲିଷ୍ଟଙ୍କ ନାମ ପ୍ରକାଶ କରିବାକୁ କହିଛନ୍ତି।

ଶାହା ଆହୁରି କହିଛନ୍ତି, ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌ ତାଙ୍କୁ ଅବସର କଥା ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ୬୧ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିବା ପରେ ବିସିସିଆଇ ସଭାପତି ଗାଙ୍ଗୁଲି ଏକ ମେସେଜ କରିଥିଲେ। ସେଥିରେ ଯେତେବେଳ ପର୍ଯ୍ୟନ୍ତ ମୁଁ ବିସିସିଆଇରେ ଅଛି, ତୁମେ ଦଳରେ ରହିବା ନିଶ୍ଚିତ ବୋଲି ଉଲ୍ଲେଖ ଥିଲା।