କଂଗ୍ରେସକୁ ଝଟ୍‌କା: ଗାନ୍ଧୀ ପରିବାର ଟ୍ରଷ୍ଟ୍‌ର ଯାଞ୍ଚ୍‌ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଂଗ୍ରେସକୁ ଏକ ଝଟ୍‌କା ଦେଇଛନ୍ତି। ଗାନ୍ଧୀ ପରିବାର ଟ୍ରଷ୍ଟ୍‌ର ଯାଞ୍ଚ୍‌ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି। ଏଥି ଲାଗି ଆନ୍ତଃ ମନ୍ତ୍ରଣାଳୟ କମିଟି ଗଠନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସ୍ବତନ୍ତ୍ର ନିର୍ଦ୍ଦେଶକ କମିଟିର ମୁଖ୍ୟ ହେବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଏହି କମିଟି ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟ୍‌, ରାଜୀବ ଗାନ୍ଧୀ ଚାରିଟେବୁଲ୍‌ ଟ୍ରଷ୍ଟ୍‌, ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଆଦିର ଯାଞ୍ଚ୍‌ କରିବ। ଏସବୁ ଟ୍ରଷ୍ଟ୍‌ରେ ପିଏମ୍‌ଏଲ୍‌ଏ, ଆୟକର ଅଧିନିୟମ, ଏଫ୍‌ସିଆର୍‌ଏ ଆଦି ବିଭିନ୍ନ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା କୁହାଯାଉଛି। ଏସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରବକ୍ତା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୨୭ରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଅଭିଯୋଗ କରିଥିଲେ ଯେ, ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ବହୁ ସରକାରୀ ରାଷ୍ଟ୍ରାୟତ କମ୍ପାନୀରୁ ବେଆଇନ ଭାବେ ପାଣ୍ଠି ଆସିଛି। ସେହିପରି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରେ ଜମା ହୋଇଥିବା ଟଙ୍କାକୁ ୨୦୦୫ରୁ ୨୦୦୮ ମଧ୍ୟରେ ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ମୋଦ ସରକାର ଏହାର ଯାଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

Share