କରାଚୀ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୬୦ ରନ୍ର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଏହି ପରାଜୟ ପରେ, ଭାରତ ବିପକ୍ଷରେ ଆୟୋଜକ ପାକିସ୍ତାନ ପାଇଁ ଏହା କର ବା ମର ମ୍ୟାଚ ହେବ। ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ଯେକୌଣସି ପରିସ୍ଥିତିରେ ଭାରତ ବିପକ୍ଷରେ ଜିତିବାକୁ ପଡିବ। କିନ୍ତୁ କ’ଣ ପାକିସ୍ତାନୀ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ପରାସ୍ତ କରିପାରିବ? ଏହି ପ୍ରଶ୍ନରେ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର କହିଛନ୍ତି, ଭାରତକୁ ପରାସ୍ତ କରିବା ବହୁତ କଷ୍ଟକର। ମହମ୍ମଦ ରିଜୱାନ ଏବଂ ପାକିସ୍ତାନ ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବାରେ ବିଫଳ ହୋଇଛନ୍ତି। ତେଣୁ ଲାଗୁନି ଭାରତ ବିପକ୍ଷରେ ଆମେ ଜିତି ପାରିବୁ।
ସୋଏବ ଅଖତର ଇନଷ୍ଟାଗ୍ରାମରେ ଭିଡିଓଟି ଷେୟାର କରିଛନ୍ତି। ଏହି ଭିଡିଓରେ ସୋଏବ ଅଖତର ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ ନିଜର ମତ ଦେଉଛନ୍ତି। ଭିଡିଓରେ ସୋଏବ ଅଖତର କହୁଛନ୍ତି, ଏବେ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ଦଳ ବହୁତ ଶକ୍ତିଶାଳୀ, ସେହି ଭାରତୀୟ ଦଳକୁ ପରାସ୍ତ କରିବା କଷ୍ଟକର ମନେହୁଏ, କିନ୍ତୁ ଶୁଭେଚ୍ଛା ପାକିସ୍ତାନୀ ଦଳ ସହିତ ଅଛି। ମୁଁ ନିଶ୍ଚିତ ଯେ ପାକିସ୍ତାନ ଦଳ ଭାରତକୁ ପରାସ୍ତ କରିବାରେ ସଫଳ ହେବ। ପାକିସ୍ତାନ ଦଳ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ, କିନ୍ତୁ ଆପଣ ନିଶ୍ଚିତ ଭାବରେ ଆକ୍ରମଣାତ୍ମକ କ୍ରିକେଟ ଖେଳିପାରିବେ।
ଏହି ଭିଡିଓରେ, ସୋଏବ ଅଖତର କହୁଛନ୍ତି, ପାକିସ୍ତାନର କ୍ରିକେଟ ବିଶ୍ୱର ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଏହି ଦଳ ଏକ ଭିନ୍ନ ପ୍ରକାରର କ୍ରିକେଟ ଖେଳୁଛି। ଦଳରେ କୌଣସି ପ୍ରଭାବଶାଳୀ ଖେଳାଳି ନାହାନ୍ତି, ଖେଳାଳିମାନଙ୍କର ଷ୍ଟ୍ରାଇକ ରେଟ ବହୁତ କମ। ଆମର ବୋଲରମାନେ ସହଜରେ ରନ ଦେଉଛନ୍ତି। ପାକିସ୍ତାନ ଦଳରେ କେବଳ ୪ ଜଣ ବୋଲର ଅଛନ୍ତି, ଯଦି ଅନ୍ୟ ଦଳଗୁଡ଼ିକୁ ଦେଖିବା, ତେବେ ସମସ୍ତଙ୍କ ପାଖରେ ଅତି କମରେ ୬-୭ ଜଣ ବୋଲର ଅଛନ୍ତି। ଏଥିରୁ ବୁଝାପଡୁଛି ଭାରତ ବିପକ୍ଷରେ ଜିତିବା ପାକିସ୍ତାନ ପାଇଁ ସହଜ ହେବନାହିଁ।