ଶିବଶକ୍ତି-ଭୀମଶକ୍ତି ମିଳିତ: ଆମ୍ବେଡ଼କରଙ୍କ ନାତିଙ୍କ ଦଳ ସହ ମେଣ୍ଟ କଲେ ଉଦ୍ଧବ…

ମୁମ୍ବାଇ,୨୩।୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଭୀମରାଓ ଆମ୍ବେଡ଼ରକଙ୍କ ନାତି ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ଆସନ୍ତା ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ଶିବଶକ୍ତି-ଭୀମଶକ୍ତି ମିଳିତ ହୋଇ ଏହି ଘୋଷଣା କରିଛନ୍ତି ବୋଲି କୁହାଯାଉଛି। ଗତ ବର୍ଷ ଶିବସେନା ବିଭାଜନ ପରେ ଏହା ହେଉଛି ପ୍ରଥମ ପ୍ରମୁଖ ନିର୍ବାଚନ। ଏହି ଅବସରରେ ପ୍ରକାଶ ଆମ୍ବେଡକର କହିଛନ୍ତି ଯେ କଂଗ୍ରେସ ଏପର୍ଯ୍ୟନ୍ତ ମିଳିତ ମଞ୍ଚରେ ଯୋଗ ଦେଇ ନାହିଁ, କିନ୍ତୁ ଆଶା କରୁଛି ଯେ ଶରଦ ପାୱାରଙ୍କ ଏନସିପି ମଧ୍ୟ ଆସିବ।

ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି ମେଣ୍ଟ ପାଇଁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ।

ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି ମେଣ୍ଟ ପାଇଁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ। ବାସ୍ତବରେ ପ୍ରକାଶ ଆମ୍ବେଡକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଦଳ ଏବଂ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇବାକୁ ମନା କରିଦେଇଥିଲେ। ସେବେଠାରୁ ଆଶା କରାଯାଉଥିଲା ଯେ ପ୍ରକାଶ ଉଦ୍ଧବ ଠାକରେଙ୍କ ସହ ଯିବେ।

ମିଳିତ ମଞ୍ଚ ଘୋଷଣା କରି ଉଦ୍ଧବ ଠାକରେ କହିଛନ୍ତି, ଆଜି ଜାନୁୟାରୀ ୨୩ ହେଉଛି ବାଲାସାହେବ ଠାକରେଙ୍କ ଜନ୍ମ ବାର୍ଷିକୀ। ମୁଁ ସନ୍ତୁଷ୍ଟ ଏବଂ ଖୁସି ଯେ ମହାରାଷ୍ଟ୍ରର ଅନେକ ଲୋକ ଆମକୁ ଏକାଠି ହେବାକୁ ଚାହୁଁଛନ୍ତି। ପ୍ରକାଶ ଆମ୍ବେଡକର ଏବଂ ମୁଁ ଆଜି ଏକ ମିଳିତ ମଞ୍ଚ ଗଠନ କରିବାକୁ ଆସିଛୁ। ମୋର ଜେଜେବାପା ଏବଂ ପ୍ରକାଶ ଆମ୍ବେଡକରଙ୍କ ଜେଜେବାପା ସହକର୍ମୀ ଥିଲେ ଏବଂ ସେମାନେ ସେହି ସମୟରେ ସାମାଜିକ ପ୍ରସଙ୍ଗ ବିରୁଦ୍ଧରେ ଲଢ଼ିଥିଲେ। ଠାକରେ ଏବଂ ଆମ୍ବେଡକରଙ୍କ ଇତିହାସ ରହିଛି। ବର୍ତ୍ତମାନ ସେମାନଙ୍କର ଭବିଷ୍ୟତ ପିଢ଼ି ଦେଶର ସାମ୍ପ୍ରତିକ ପ୍ରସଙ୍ଗ ପାଇଁ ଲଢ଼ବିାକୁ ଆସିଛନ୍ତି।

ପ୍ରକାଶ ଆମ୍ବେଦକର କହିଛନ୍ତି ଯେ ଏହି ମିଳିତ ମଞ୍ଚ ଦ୍ୱାରା ଦେଶରେ ଏକ ନୂତନ ରାଜନୀତିର ଆରମ୍ଭ ମାତ୍ର। ସେ କହିଛନ୍ତି, ଆମେ ସାମାଜିକ ପ୍ରସଙ୍ଗରେ ବିରୋଧର ଆୟୋଜନ କରିଛୁ। ଆମେ ସାମାଜିକ ପ୍ରସଙ୍ଗରେ ଜିତିବା ଭୋଟରଙ୍କ ହାତରେ, କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ଉପଯୁକ୍ତ ଲୋକଙ୍କୁ ସିଟ ଦେବା ରାଜନୈତିକ ଦଳଙ୍କ ହାତରେ।