ଢେଙ୍କାନାଳ,୨୬।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ବୁଧବାର ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଭୋର ସମୟରୁ ଢେଙ୍କାନାଳ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭୋର ସମୟରୁ ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶୃଙ୍ଖଳିତ ଭାବେ ପୀଠାଧିଶ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ଓ ମାତା ପାର୍ବତୀଙ୍କ ଦର୍ଶନ କରୁଛନ୍ତି l ହର ହର ମହାଦେବ , କପିଳାସ ବାବା ପାର୍ କରେଗା ଧ୍ୱନି ରେ କପିଳାସ ପିଠ ପ୍ରକମ୍ପିତ ହୋଇଛି। ମୁଖ୍ୟ ମନ୍ଦିରକୁ ଦେବୋତ୍ତର ବିଭାଗ ପକ୍ଷରୁ ଚୁନ ଲାଗି କରାଯାଇ ଫୁଲ ରେ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଛି। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତା ଓ ପାହାଚ ରାସ୍ତାରେ ଶ୍ରଦ୍ଧାଳୁମାନଙ୍କର ନାହିଁ ନ ଥିବା ଭିଡ଼ ଲାଗିଛି l
ଜାଗର ଯାତ୍ରା ଉପଲକ୍ଷେ ସଂଧ୍ୟା ୬ ଟାରେ ଆରତୀ ପରେ ଠାକୁର ଙ୍କ ର ନିତିକାନ୍ତି ଓ ପ୍ରସିଦ୍ଧ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ। ସେହିପରି ଶ୍ରୀଜୀଉଙ୍କ ମହାସ୍ନାନ ପରେ ମହାରୁଦ୍ରାଭିଷେକ ଓ ପରେ ସର୍ଣ୍ଣ ଅଳଙ୍କାର ଲାଗି ମହାପ୍ରଭୁଙ୍କ ନାଗାଭରଣ ବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଢେଙ୍କାନାଳ ରାଜା ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରିବେ । ରାତୀ ୩ଟା ୫୫ ମିନିଟ ରୁ ବେତା ପରିକ୍ରମା ହୋଇ ରାତି ୪ ଟା ୨୦ ମିନିଟ ମଧ୍ୟରେ ମହାଦୀପ ଉଠିବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ପୀଠ ରେ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସାଢ଼େ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।