IS ଟାର୍ଗେଟରେ ଶିବରାଜ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି। ଆଇଏସଆଇ ଚୌହାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଇନପୁଟ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ ନିର୍ମାଣ କରିଛି। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଶିବରାଜଙ୍କ ପ୍ରତି ଆଇଏସଆଇ ଆଗ୍ରହ ଦେଖାଇବା ସମ୍ପର୍କରେ ସୂଚନା ମିଳିଛି। ତାଙ୍କର ପୂର୍ବରୁ Z+ ସୁରକ୍ଷା ଥିଲା, କିନ୍ତୁ ଏହି ସୁରକ୍ଷାକୁ ବର୍ତ୍ତମାନ ଆହୁରି ବୃଦ୍ଧି କରାଯାଇଛି। ସୁରକ୍ଷାରେ କୌଣସି ତ୍ରୁଟି ନହେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସି ଏବଂ ମଧ୍ୟପ୍ରଦେଶ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି। ମଧ୍ୟପ୍ରଦେଶର ମୁଖ୍ୟ ସଚିବଙ୍କୁ ମଧ୍ୟ ହାଇ ଆଲର୍ଟ ରହିବାକୁ କୁହାଯାଇଛି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର (ସୁରକ୍ଷା)ଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

Dharitri – Odisha’s No.1 Odia Daily