????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି,୨୯।୧୧(ଡି.ଏନ.ଏ.)-ଭଦ୍ରକ ଜିଲାର ଅନନ୍ୟ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ବିଜେସ୍ଥଳ ଆରଡ଼ିର ଶିବଗଙ୍ଗା ପୁଷ୍କରିଣୀରେ ଏବର୍ଷ କୋଭିଡ୍ କଟକଣା ପାଇଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇପାରିବେ ନାହିଁ। ରାହାସ ପୂର୍ଣ୍ଣିମାରେ ପୀଠକୁ ଭକ୍ତମାନଙ୍କ ଆଗମନରେ ରୋକ ଲଗାଇଛି ଜିଲା ପ୍ରଶାସନ। ଏଥିସହିତ ପୀଠରେ ଥିବା ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ପିତାମ୍ବର ସାମଲ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କେବଳ ସେତିକି ନୁହେଁ ସେବାୟତମାନଙ୍କ ପାଇଁ ମଧ୍ୟ କିଛି କଟକଣା ଜାରି ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜାରି ହୋଇଥିବା କଟକଣା ଅନୁଯାୟୀ, ପୂର୍ଣ୍ଣିମା ଦିନ ନୀତିକାନ୍ତି ପାଇଁ ଜଣେ ମାତ୍ର ସେବାୟତ ମନ୍ଦିର ଭିତରକୁ ଯାଇପାରିବେ। ମନ୍ଦିର ପରିସରରେ ୭ ଜଣ ସେବାୟତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିବେ। ପୀଠରେ ଡାକବାଜି ଯନ୍ତ୍ର ବାଜି ପାରିବ ନାହିଁ। ସମସ୍ତ ସେବାୟତ ପୂଜାକାର୍ଯ୍ୟ ସମ୍ପାଦନ ବେଳେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବେ। ଭୋର ୪ ଟାରେ ମଙ୍ଗଳ ଆଳତି, ପରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ। ଅପରାହ୍ନ ୪ଟାରେ ନାଗାର୍ଜୁନ ବେଶରେ ସଜ୍ଜିତ ହେବେ ବାବା। ଉଲ୍ଲେଖନୀୟ ଯେ, ବାବା ଆଖଣ୍ଡଳମଣିଙ୍କ ପୀଠ ଶୈବକ୍ଷେତ୍ର ହେଲେ ବି ଏଠାରେ ବିଷ୍ଣୁ ଓ ଶକ୍ତି ପୂଜାର ପରମ୍ପରା ରହିଛି। ପୂର୍ବବର୍ଷ ଗୁଡ଼ିକରେ ରାହାସ ପୂର୍ଣ୍ଣିମାରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିଲା। ଶ୍ରଦ୍ଧାଳୁମାନେ ପୂର୍ଣ୍ଣିମା ପୂର୍ବଦିନ ପୀଠରେ ରାତ୍ରିଯାପନ କରନ୍ତି। ତହିଁ ପରଦିନ ଶିବଗଙ୍ଗା ପୁଷ୍କରିଣୀରେ ସ୍ନାନ କରି ଡଙ୍ଗା ଭସାନ୍ତି। କିନ୍ତୁ ଏଥର କଟକଣା ଯୋଗୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏସବୁରେ ବ୍ୟତିକ୍ରମ ଦେଖାଦେଲେ କୋଭିଡ୍ ଆଇନ ଅନୁସାରେ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ କଟକଣା ଥିଲେ ବି ବାବାଙ୍କ ନୀତିକାନ୍ତି ଠିକ୍ ସମୟ ପୂର୍ବରୁ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।