ଚିକିତ୍ସାଧୀନ ଅବସ୍ଥାରେ ଶିବସେନା ନେତାଙ୍କ ପରଲୋକ

ଅମୃତସର,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଧାରଣା ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଅମୃତସର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଅମୃତସରର ମଜିଠା ରୋଡ ସ୍ଥିତ ଗୋପାଳ ମନ୍ଦିର ବାହାରେ ଅଳିଆରୁ ଭଗବାନଙ୍କ ମୂର୍ତ୍ତି ମିଳିବା ବିରୋଧରେ ଶିବସେନା ନେତା ସୁଧୀର ସୁରୀ ଧାରଣାରେ ବସିଥିଲେ। ଏହି ସମୟରେ ଭିଡ଼ ଭିତରୁ କେହି ଜଣେ ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଅମୃତସର ହସ୍ପିଟାଲକୁ ନିଆଯାଇଥିଲା। ଅନ୍ୟପଟେ ତାଙ୍କୁ ଗୁଳିକରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କଠାରୁ ଉକ୍ତ ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଯୁବକ ଜଣଙ୍କ ସନ୍ଦୀପ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ପୋଲିସ ଗତ ମାସରେ କିଛି ଗ୍ୟାଙ୍ଗଷ୍ଟାରଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଆକ୍ରମଣ ଯୋଜନା ନେଇ ପୋଲିସକୁ ସୂଚନା ଦେଇଥିଲେ।