ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍ର ଶେଷ ଦିବସ ରହିଥିଲା ବେଳେ ଏହାର ଦିନକ ପୂର୍ବରୁ ବହୁ ଯୁବ କଂଗ୍ରେସ କର୍ମୀ ହଲ୍ ନମ୍ବର ୫ରେ ପ୍ରବେଶକରି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜି କରିଛନ୍ତି । ଭାରତ ମଣ୍ଡପମ୍ରେ ଏଆଇ ସମିଟ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଭାରତ ଏବଂ ଆମେରିକା ମଧ୍ୟରେ ପାକ୍ସ ସିଲିକା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ସଭାସ୍ଥଳରେ ପ୍ରବେଶକରି ସେମାନଙ୍କ ଶାର୍ଟ ଖୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ।
ଭାରତ-ଆମେରିକା ଟ୍ରେଡ୍ ଡିଲ୍କୁ ନେଇ ମୋଦି ଆମେରିକା ସହିତ ସାଲିସ୍ କରିଛନ୍ତି ବୋଲି ସେମାନେ ନାରାବାଜି କରିବା ସହିତ ଏପ୍ଷ୍ଟିନ୍ ଫାଇଲ୍ କଥା ମଧ୍ୟ ଉଠାଇଥିଲେ। ଏଆଇ ସମିଟ୍ ଭଳି ଏକ ଅନ୍ତର୍ଜାତୀୟ ମଞ୍ଚରେ ଦେଶ ବିଦେଶର ଅନେକ ଶହ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲା ବେଳେ ଏଠାରେ କଂଗ୍ରେସ କର୍ମୀଙ୍କ ଏତାଦୃଶ ଆଚରଣକୁ ଭାଜପା ଦୃଢ଼ ନିନ୍ଦା କରିଛି ।
କଂଗ୍ରେସର ଏଭଳି ବିକ୍ଷୋଭ ଦଳର ଚରିତ୍ର , ମୂର୍ଖତା ଏବଂ ଭାବହୀନତାର ପ୍ରମାଣ ଦେଇଛି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଅନେକ ଶହ ଭାଜପା କର୍ମୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୋଲିସ ୧୦ରୁ ଅଧିକ କଂଗ୍ରେସ ଯୁବକର୍ମୀଙ୍କୁ ଅଟକ ରଖି ପଚରାଉଚରା କରିଛି। ସେମାନେ ବୈଧ ପାସ୍ କିମ୍ବା କ୍ୟୁ-ଆର୍ କୋଡ୍ ଦ୍ୱାରା ସଭାସ୍ଥଳକୁ ପ୍ରବେଶ କରିଥିଲେ ନା ନାହିଁ ତାହା ପୋଲିସ ଯାଞ୍ଚ କରିଛି ।