ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ କାମ କରୁଥିବା ଲୋକମାନେ କେବେ କ୍ଳାନ୍ତ ହୁଅନ୍ତି ନାହିଁ କିମ୍ବା ପ୍ରକୃତରେ ଅବସର ନିଅନ୍ତି ନାହିଁ। ଦେଶ ସେବା କରିବାର ଆଗ୍ରହ ହିଁ ନେତାମାନଙ୍କୁ ନିରନ୍ତର ସକ୍ରିୟ ରଖେ। ଏହାସହ ଖାର୍ଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କୁ କଟାକ୍ଷ କରି କହିଥିଲେ,ସେ ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କରିଥିଲେ।
ତାଙ୍କ ଭାଷଣ ସମୟରେ ଖାର୍ଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କ ସହ ତାଙ୍କର ଦୀର୍ଘ ସମ୍ପର୍କର କଥା ଉଲ୍ଲେଖ କରିଥିଲେ। ସେ ମଜାରେ କହିଥିଲେ ଯେ, ମୁଁ ୫୦ ବର୍ଷରୁ ଅଧିକ ସମୟ ଧରି ଦେବେଗୌଡାଙ୍କୁ ଜାଣିଛିି ଏବଂ ତାଙ୍କ ସହିତ କାମ କରିଛି। ସେ ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କରିଥିଲେ। ଏହି ମନ୍ତବ୍ୟ
ଗୃହରେ ହାସ୍ୟାରୋଳ ସୃଷ୍ଟି କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅବସରପ୍ରାପ୍ତ ଏମ୍ପି ମାନଙ୍କୁ ବିଦାୟ ଦେଇଥିଲେ। ସେ କହିଥିଲେ, ରାଜନୀତିରେ କେବେବି ‘ପୂର୍ଣ୍ଣବିରାମ’ ହୁଏ ନାହିଁ ଏବଂ ନେତାଙ୍କ ଅଭିଜ୍ଞତା ଦେଶ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦି ନୂତନ ଏମ୍ପିମାନଙ୍କୁ ମଲ୍ଲିକାର୍ଜୁନ ଖାର୍ଗେ, ଏଚ.ଡି. ଦେବେଗୌଡା ଏବଂ ଶରଦ ପାୱାରଙ୍କ ଭଳି ଅଭିଜ୍ଞ ନେତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।
ଏଥର ମୋଟ ୩୭ ଜଣ ଏମ୍ପି ରାଜ୍ୟ ସଭାରୁ ଅବସର ନେଉଛନ୍ତି। ଏଥିରେ ପ୍ରିୟଙ୍କା ଚତୁର୍ବେଦୀ, ତିରୁଚି ଶିବ, ଅମରେନ୍ଦ୍ର ଧାରୀ ସିଂହ ଏବଂ ଅଭିଷେକ ମନୁ ସିଂଘଭି ସାମିଲ ଅଛନ୍ତି। ସମ୍ପ୍ରତି ୧୦ଟି ରାଜ୍ୟର ୩୭ଟି ଆସନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।