ନୂଆଦିଲ୍ଲୀ, ୨୫ା୧: ଭାରତୀୟ ସେନା ପକ୍ଷରୁ ମ୍ୟାନ୍ମାର ସୀମା ଭିତରେ ପଶି କରାଯାଇଥିବା ଏକ ଗୁପ୍ତ ଅପରେସନ କରାଯାଇଛି। ଏ ସମ୍ପର୍କରେ ପ୍ରଥମ କରି ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୨୫ ଜୁଲାଇ ମାସରେ କରାଯାଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିପାଇଁ ୨୧ ପାରା (ସ୍ପେଶାଲ ଫୋର୍ସ)ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଘାଟଗେ ଆଦିତ୍ୟ ଶ୍ରୀକୁମାରଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି।
ଗତ ବର୍ଷ ଜୁଲାଇ ୧୧ରୁ ୧୩ ତାରିଖ ମଧ୍ୟରେ ଭାରତ-ମ୍ୟାନ୍ମାର ସୀମାରେ ଏହି ସଠିକ୍ ଓ ଶକ୍ତିଶାଳୀ ଆକ୍ରମଣ କରାଯାଇଥିଲା। ଏହି ଅପରେସନରେ ୯ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କର ଏକ ସୁରକ୍ଷିତ ଶିବିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଥିଲା।
୨୧ ପାରା (SF)ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଘାଟଗେ ଆଦିତ୍ୟ ଶ୍ରୀକୁମାର ଏହି ଗୁପ୍ତ ଅପରେସନର ଯୋଜନା କରିବା ସହ ନିଜେ ଏହାର ନେତୃତ୍ୱ ନେଇଥିଲେ। ତାଙ୍କର ଏହି ଅସାଧାରଣ ସାହସିକତା ପାଇଁ ତାଙ୍କୁ ଚଳିତ ବର୍ଷ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍ରେ ନିପାତ ହୋଇଥିବା ୯ ଜଣ କ୍ୟାଡରଙ୍କ ମଧ୍ୟରେ ଦେଶବିରୋଧୀ ସଙ୍ଗଠନର କେତେକ ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ।
ଗତ ବର୍ଷ ଜୁଲାଇରେ ପ୍ରତିବନ୍ଧିତ ସଙ୍ଗଠନ ULFA (I) ଦାବି କରିଥିଲା ଯେ ମ୍ୟାନ୍ମାରର ସାଗାଇଙ୍ଗ୍ ଅଞ୍ଚଳରେ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ରେ ସେମାନଙ୍କର ୩ ଜଣ ଶୀର୍ଷ ନେତା ପ୍ରାଣ ହରାଇଛନ୍ତି। ସେତେବେଳେ ଭାରତୀୟ ସେନା ଏହି ଅଭିଯୋଗକୁ ସିଧାସଳଖ ଭାବେ ସ୍ୱୀକାର କରିନଥିଲା।
ସାଧାରଣତଃ ଭାରତୀୟ ସେନା ସୀମା ପାର୍ ଅପରେସନ ସମ୍ପର୍କରେ ସୂଚନା ଗୋପନ ରଖିଥାଏ। କିନ୍ତୁ ଶୌର୍ଯ୍ୟ ଚକ୍ର ପ୍ରଶସ୍ତିପତ୍ରରେ ଏହି ଘଟଣାର ଉଲ୍ଲେଖ କରାଯିବା ପରେ ଏହା ଏକ ଦୁର୍ଲଭ ସ୍ୱୀକୃତି ପାଲଟିଛି। ଏହି ଅପରେସନକୁ ସରକାରୀ ସ୍ତରରେ ‘ଅପରେସନ ସିନ୍ଦୂର’ ଭାବେ ମଧ୍ୟ ଅଭିହିତ କରାଯାଇଛି, ଯାହା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ ସଙ୍କେତ ଦେଇଥିଲେ। ଏହି ସାହସିକତା ପାଇଁ ସେନା ପକ୍ଷରୁ ୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର ଏବଂ ୩ ଜଣଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି।