ନୂଆଦିଲ୍ଲୀ/ପାନାମା,୨୮।୫: ପାକିସ୍ତାନ ଏବଂ ଆତଙ୍କବାଦ ମଧ୍ୟରେ ସମ୍ପର୍କର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ନେତାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପାନାମାରେ ପହଞ୍ଚିଛି। ପାନାମା ଭାରତକୁ ସମର୍ଥନ ଘୋଷଣା କରିଛି। ପାନାମାର ବିଧାନସଭା ଅଧ୍ୟକ୍ଷ ଡାନା କାଷ୍ଟାନେଡା କହିଛନ୍ତି, ଶାନ୍ତି ପାଇଁ ଏହି ଅଭିଯାନରେ ପାନାମା ଭାରତ ସହିତ ଠିଆ ହେବାକୁ ଚାହେଁ, ଏବଂ ଆମେ ଆଶା କରୁଛୁ ଯେ ଆମେ ଆତଙ୍କବାଦକୁ ପରାସ୍ତ କରିପାରିବୁ।
ଏହି ଅବସରରେ ଥରୁର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଯାହା ଘଟିଛି, ସେଥିରୁ ଆତଙ୍କବାଦୀମାନେ ଜାଣିଛନ୍ତି ଯେ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଏଥିରେ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ। ଭାରତ ପ୍ରଥମ ଥର ପାଇଁ ୨୦୧୫ ସେପ୍ଟେମ୍ବରରେ ଉରିରେ ସର୍ଜିକାଲ ଷ୍ଟ୍ରାଇକ କରି ପାକିସ୍ତାନକୁ ପାଣି ପିଆଇଥିଲା। ଏବେ ଅପରେଶନ ସିନ୍ଦୂର ଜରିଆରେ ମଧ୍ୟ ପାକିସ୍ତାନକୁ ଜବାବ ଦିଆଯାଇଛି।
କଂଗ୍ରେସ ନେତା ଉଦିତ ରାଜ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଭାଜପାର ଚାମ୍ଚା ବୋଲି କହିଛନ୍ତି। ସେ କହିଛନ୍ତି, ଥରୁର ହେଉଛନ୍ତି ଭାଜପାର ସୁପର ମୁଖପାତ୍ର। ଭାଜପା ନେତାମାନେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସରକାରଙ୍କ ସପକ୍ଷରେ ଯାହା କହୁନାହାନ୍ତି, ତାହା ଶଶି ଥରୁର କହୁଛନ୍ତି।
କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ ହେଉଥିଲା, ଲୋକମାନେ ଏହା ବିଷୟରେ ଜାଣି ନ ଥିଲେ। ପୂର୍ବରୁ ଥିବା ସରକାର ମୋଦି ଜିଙ୍କ ପରି ନୁହଁନ୍ତି ଯିଏ କିଛି କରିବେ ତାହାକୁ ନେଇ ପ୍ରଚାର କରିବେ, ଗର୍ବ କରିବେ। ସେନାର କାର୍ଯ୍ୟାନୁଷ୍ଠାନର ଫାଇଦା ଉଠାଇବେ। କଂଗ୍ରେସ ଦଳ ଏହା କରିନାହିଁ ଏବଂ ସେନାର କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ଭାବରେ ଘୋଷଣା କରିନାହିଁ, କିନ୍ତୁ ମୋଦି ନିଜେ ସେନାର ସମସ୍ତ ଶ୍ରେୟ ନେଉଛନ୍ତି। ଏଥିରେ ସେନା ପ୍ରତି କୌଣସି ସମ୍ମାନ ନାହିଁ। ଏହା ଶଶି ଥରୁରଙ୍କ ପବ୍ଲିସିଟି ଷ୍ଟଣ୍ଟ। ସେ ଏବେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ହୋଇଛନ୍ତି।