ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ଏମପି ଶଶୀ ଥରୁର ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶକୁ ୨୦୦ ବର୍ଷର ‘ଗୁଲାମ ମାନସିକତା’ର ବ୍ରିଟିଶ୍ ଐତିହ୍ୟ ତ୍ୟାଗ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶବାସୀ ‘ପ୍ରଗତି ପାଇଁ ବ୍ୟାକୁଳ’ ହେବା ଉଚିତ।
ଅସୁସ୍ଥତା ସତ୍ତ୍ୱେ ଥରୁର ମଙ୍ଗଳବାର ଆୟୋଜିତ ରାମନାଥ ଗୋଏଙ୍କା ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଯୋଗ ଦେଇଥିଲେ। ସେ ସୋସିଆଲ ମିଡିଆରେ ଏକ ବିସ୍ତୃତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ ବଡ଼ ଭାଗ ମାକାଲେଙ୍କ ‘ଗୁଲାମ ମାନସିକତା’ର ୨୦୦ ବର୍ଷର ଐତିହ୍ୟକୁ ବଦଳାଇବା ଉପରେ କେନ୍ଦ୍ରିତ ଥିଲା। ମୋଦି ଭାରତର ଐତିହ୍ୟ, ଭାଷା ଏବଂ ଜ୍ଞାନ ପ୍ରଣାଳୀରେ ଗର୍ବ ଫେରାଇ ଆଣିବା ପାଇଁ ୧୦ ବର୍ଷର ଜାତୀୟ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଥରୁର କହିଛନ୍ତି ଯେ ମୋଦି ଜୋର ଦେଇଛନ୍ତି ଯେ ଭାରତ ଆଉ କେବଳ ଏକ ‘ଉଦୀୟମାନ ବଜାର’ ନୁହେଁ, ବରଂ ବିଶ୍ୱ ପାଇଁ ଏକ ‘ଉଦୀୟମାନ ମଡେଲ୍’। ସେ ଦେଶର ‘ବିକାଶ ପାଇଁ ସକାରାତ୍ମକ ବ୍ୟାକୁଳତା’ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ନିକଟରେ ଶଶୀ ଥରୁରଙ୍କ ଦଳୀୟ ରାଜନୀତିକୁ ନେଇ କଂଗ୍ରେସ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ଗଭୀର ଆତ୍ମନିରୀକ୍ଷଣ ଆବଶ୍ୟକ ବୋଲି ସେ ମଧ୍ୟ କହିଥିଲେ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏହି ପ୍ରଶଂସା କଂଗ୍ରେସ ପାଇଁ ଅଧିକ ବିବ୍ରତକର ହୋଇପାରେ।