ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ୭ ଦିନ ବ୍ୟାପୀ ଶୀତକାଳୀନ ସ୍ବତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ଶ୍ରୀରାମ ନଗର ଓ ଛେଦାଭୂମି ରୋଡ୍ରେ ଚାଲିଥିଲା। ରବିବାର ତାହା ଉଦ୍ଯାପିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରରୁ ସ୍ବେଚ୍ଛାସେବୀମାନେ ଯେଉଁ ଜ୍ଞାନ ଆହରଣ କଲେ ତାହା ଅନ୍ୟମାନଙ୍କ ସେବାରେ ଲଗାଇଲେ ଶିବିରର ଲକ୍ଷ୍ୟ ସାଧନ ହୋଇପାରିବ ବୋଲି କହିଥିଲେ। ତେଣୁ ସ୍ବେଚ୍ଛାସେବୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ସ୍ବେଚ୍ଛାସେବୀଙ୍କୁ ଅଧ୍ୟକ୍ଷ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ତଥା କେମିଷ୍ଟ୍ରି ବିଭାଗର ମୁଖ୍ୟ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଫିଜିକ୍ସ ବିଭାଗର ମୁଖ୍ୟ ପ୍ରଫେସର ପ୍ରଶାନ୍ତ କୁମାର ରଥ, ବଟନି ବିଭାଗର ମୁଖ୍ୟ ଅଧ୍ୟାପିକା ସୁନିତାରାଣୀ ଖଣ୍ଡୁଆଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଶାଖା ୨ ଯୋଜନା ଅଧିକାରିଣୀ ସସ୍ମିତା କୁମାରୀ ଦାସ ସଭାକୁ ସଂଯୋଜନା କରିଥିବା ବେଳେ ଶାଖା ୧ ଅଧିକାରୀ ବି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ଦିବସରେ ସ୍ବେଚ୍ଛାସେବୀମାନେ ନିଶା ନିବାରଣ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସ୍ବଚ୍ଛ ଭାରତ ଅଭିଯାନ, ବାଲ୍ୟ ବିବାହ, ସାମାଜିକ ଆର୍ଥିକ ସମୀକ୍ଷା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅଧ୍ୟାପିକା ମାମାଲି ନାୟକ, ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।