ପାଲେଷ୍ଟାଇନ୍‌କୁ ସମର୍ଥନ କଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦(୦୭): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେ ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ଶାନ୍ତି ପାଇଁ ବିପଦ। ସେଠାକାର ଜମି ଏବଂ ଘର ପାଲେଷ୍ଟାଇନର ଥିଲା, ଇସ୍ରାଏଲ ତାହା ଉପରେ କବ୍ଜା କରିଥିଲା।
ଏନସିପି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ପାଲେଷ୍ଟାଇନକୁ ସାହାଯ୍ୟ କରିବା ଥିଲା। କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟବଶତଃ ଇସ୍ରାଏଲକୁ ସମର୍ଥନ କରିଛନ୍ତି।
ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଦେଶରେ ଅନେକ ରାଜନୀତି ଚାଲିଛି। ଏହି ପରିପ୍ରେକ୍ଷୀରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା କଂଗ୍ରେସ ଏକ ସଂକଳ୍ପ ପାରିତ କରିଥିଲା, ଏହା ପରେ ଭାଜପା ନେତାମାନେ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ଏବଂ ଭାଜପା ନେତା ହିମନ୍ତ ବିଶ୍ୱ ସର୍ମା ମଧ୍ୟ କଂଗ୍ରେସ ଦଳକୁ ପାକିସ୍ତାନ ସହ ତୁଳନା କରିଥିଲେ।