ବୁଦ୍ଧ ପୂର୍ଣ୍ଣିମା ପାଇଁ ଶୈବପୀଠ ଚଳଚଞ୍ଚଳ

ନୂଆପଡ଼ା,୧୨ା୫ (ମକାରୁ ବେମାଲ):ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ପାଇଁ ନୂଆପଡ଼ା ଜିଲାର ଶୈବପୀଠଗୁଡ଼ିକ ଶନିବାରଠାରୁ ଚଳଚଞ୍ଚଳ ହୋଇଉଠିଛି। ପବିତ୍ର ବୃଦ୍ଧ ପୂର୍ଣ୍ଣିମାରେ ବୁଡ ପକାଇ ଶୈବାଳୟରେ ଜଳ ଅର୍ପଣ ପାଇଁ ଶ୍ରଦ୍ଧାଳୁମାନେ ପୂର୍ବରୁ ଆସି ଡେରା ପକାଇଛନ୍ତି। ନୂଆପଡ଼ା ସଦର ବ୍ଲକ ପତୋରା ଯୋଗେଶ୍ୱର ମନ୍ଦିର ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଲାଣି। ଏଥିରେ ନୂଆପଡ଼ା ଜିଲା ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଛତିଶଗଡ଼ ରାଜ୍ୟ କୋମାଖାନ, ବାଗବାହାରା, ମହାସମୁନ୍ଦ, ଗରିଆବନ୍ଧ, ଛୁରା ଆଦିର ଶ୍ରଦ୍ଧାଳୁମାନେ ଆସିଥାନ୍ତି। ସେହିପରି ବୋଡେନ ବ୍ଲକ ପାତାଳଗଙ୍ଗାଠାରେ ଭକ୍ତଙ୍କ ଗହଳି ଲାଗି ରହିଛି। ପାତାଳଗଙ୍ଗାକୁ ମଧ୍ୟ ବୁଡ ପକାଇବା ପାଇଁ ଜିଲା ସମେତ ଜିଲା ବାହାର ଓ ଛତିଶଗଡ଼ ଅଞ୍ଚଳର ଲୋକେ ଆସିଥାନ୍ତି।
କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଖୋଳିଗାଁଠାରେ ରହିଥିବା ରାଣୀମୁହାସର ଗୁପ୍ତଗଙ୍ଗାରେ ବୁଡ଼ ପକାଇବା ପାଇଁ ଦୁଇ ଦିନ ପୂର୍ବରୁ ଶ୍ରଦ୍ଧାଳୁମାନେ ଆସି ଅପେକ୍ଷାରେ ଅଛନ୍ତି। ପାହାଡ଼ ଶିଖର ବର ଓ ଆମ୍ବ ଗଛର ମିଳନ ସନ୍ଧିରୁ ଗୁପ୍ତ ଭାବରେ ବାହାରୁଥିବା ଝରଣା ଗୁପ୍ତଗଙ୍ଗା ଭାବରେ ନାମକରଣ ପାଇଛି। ସେଥିରେ ଶ୍ରଦ୍ଧାଳୁମାନେ ବୁଡ ପକାଇବା ଓ ବହୁ ପୁରାତନ ମନଲୋଭା କୀର୍ତ୍ତିରାଜିକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥାନ୍ତି ା ସେଠାରେ ବଡ ଘୁମେର ଓ ସାନ ଘୁମେର ବୋଲି ଦୁଇ ଜଳପ୍ରପାତ ରହିଛି। ପାହାଡ଼ ଉପରେ ଶ୍ୱେତଗଙ୍ଗା, ସୁନାପାଣି, ରୁପାପାଣି, ରାଣୀମୁହାସ, ଗୁପ୍ତଗଙ୍ଗା, ଥାଳିପାଣି ଭଳି ଅନେକ ପୁରାତନ କୀର୍ତ୍ତିରାଜି ରହିଛି। ଝରଣାର କୁଳୁ କୁଳୁ ତାନ ଓ ପଶୁପକ୍ଷୀଙ୍କ କିଚିରିମିଚିରି ସ୍ବରରେ ଭକ୍ତମାନେ ବିମୋହିତ ହୋଇଉଠନ୍ତି। ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁ ଗୋଧସ, କୋମନା ବ୍ଲକ ବୃଦ୍ଧିକୋମନା ପାତାଳେଶ୍ୱର ମନ୍ଦିର, ଧରମସାଗର ଶିବ ମନ୍ଦିର, ଧରମପୁର ଶିବ ମନ୍ଦିର, ଶୁକ୍ଳିମୁଣ୍ଡି ଗୁପ୍ତେଶ୍ୱର ଶିବ ମନ୍ଦିର ଆଦି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମମାନ ରହିଛି।