୨୦୦ କୋଟିର ବଙ୍ଗଳା ଛାଡ଼ି ଭଡ଼ାରେ ରହିବେ ଶାହାରୁଖ ଖାନ୍‌; ମାସକୁ ଗଣିବେ ୨୪ ଲକ୍ଷ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର ‘ମନ୍ନତ’ ଐତିହ୍ୟସ୍ଥଳ ଭଳି। ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ। ସମସ୍ତେ ତାଙ୍କର ଏକ ଝଲକ ପାଇବା ଲାଗି ଚାତକ ଭଳି ଘଣ୍ଟା ଘଣ୍ଟା ଯାଏ ଅପେକ୍ଷା କରି ରହିଥାନ୍ତି। ହେଲେ ଏବେ ଅଭିନେତାଙ୍କ ଠିକଣା ବଦଳିବାକୁ ଯାଉଛି। ଶାହାରୁଖ ପତ୍ନୀ ଗୌରୀ ଏବଂ ପିଲାମାନଙ୍କ ସହ ଭଡ଼ା ଘରେ ରହିବାକୁ ଯାଉଥିବା ଜଣାପଡ଼ିଛି।

କିଛିଦିନ ପାଇଁ ଶାହାରୁଖ ପରିବାର ସହ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହିବେ। କାରଣ ତାଙ୍କ ଘରର ରିନୋଭେଶନ୍‌ କରାଯିବ। ମେ’ରେ କାମ ଆରମ୍ଭ ହେବ। ଗ୍ରେଡ୍‌ ୩ ହେରିଟେଜ୍‌ ପ୍ରପର୍ଟି ହୋଇଥିବା ଯୋଗୁ ଘରକୁ ରିନୋଭେଶନ ଲାଗି ଅନୁମତିର ଆବଶ୍ୟକତା ରହିଥିଲା। ଏବେ ତାହା ମିଳି ସାରିଛି। ଏଣୁ ଶାହାରୁଖ ଏବଂ ତାଙ୍କ ପରିବାର ପ୍ରାୟ ୨ ବର୍ଷ ଯାଏ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ଶାହାରୁଖ ରହିବାକୁ ଯାଉଥିବା ଆପାର୍ଟମେଣ୍ଟ ମନ୍ନତର ନିକଟରେ ରହିଛି। ଏହି ଘର ୪ ମହଲା ବିଶିଷ୍ଟ। ଏଠାରେ ସମସ୍ତ ପ୍ରକାର ବିଳାସମୟ ସୁବିଧା ରହିଛି। ଅଭିନେତାଙ୍କ ସହ ପରିବାର, ଷ୍ଟାଫ୍‌ ଏବଂ ସୁରକ୍ଷାକର୍ମୀମାନେ ସାଙ୍ଗରେ ରହିବେ। ଏହାର ଭଡ଼ା ପ୍ରାୟ ୨୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।