ଆଫ୍ରିଦିଙ୍କ ଘାତକ ବୋଲିଂ: ଆଫଗାନିସ୍ତାନ ଓପନରଙ୍କ ଭାଙ୍ଗିଦେଲେ ଆଙ୍ଗୁଠି…

ବ୍ରିସବେନ,୧୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଟିମ୍‌ର ଷ୍ଟାର ଦ୍ରୁତ ବୋଲର୍‌ ଶାହିନ ଶାହା ଆଫ୍ରିଦି ସମସ୍ତ ଟିମ୍‌ର ଚିନ୍ତା ବଢ଼ାଇଛନ୍ତି। ଆହତ ସମସ୍ୟାରୁ ଫେରିବା ପରେ ଆଫ୍ରିଦି ଓ୍ବାର୍ମ ଅପ୍‌ ମ୍ୟାଚ୍‌ରେ ଘାତକ ବୋଲିଂ କରି ଭାରତକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି।

ବୁଧବାର ପାକିସ୍ତାନ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥିଲା। ଆଫଗାନିସ୍ତାନ ଟିମ୍‌ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଶାହିନ ପ୍ରଥମ ଓଭରରେ ବୋଲିଂ କରିବାକୁ ଆସି ଆଫଗାନିସ୍ତାନ ଓପନର ରହମାନୁଲ୍ଲା ଗୁରୁବାଜଙ୍କୁ ୟର୍କର ପକାଇଥିଲେ। ଏହାକୁ ସେ ଖେଳି ପାରି ନ ଥିବା ବେଳେ ବଲ୍‌ଟି ସିଧା ଯାଇ ତାଙ୍କ ବାମ ପାଦର ଆଙ୍ଗୁଠିରେ ବାଜିଥିଲା। ବଲ୍‌ ଲାଗିବା ପରେ ଗୁରବାଜ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ପରେ ଅମ୍ପାୟାର ତାଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ ମଧ୍ୟ କରିଥିଲେ। ସେ ଚାଲି ନ ପାରିବା ଯୋଗୁ ଡ୍ରେସିଂ ରୁମ୍‌ ଷ୍ଟାଫ୍‌ ଏବଂ କିଛି ଖେଳାଳି ଆସି ତାଙ୍କୁ ଟେକି ନେଇଥିବା ଦେଖାଯାଇଥିଲା। ଏପରିକି ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ମଧ୍ୟ ନିଆଯାଇଛି। ତାଙ୍କର ଆଙ୍ଗୁଠି ଭାଙ୍ଗିଥିବା କୁହାଯାଉଥିବା ଯୋଗୁ ଆଫଗାନିସ୍ତାନ ଲାଗି ଚିନ୍ତା ବଢ଼ିଛି। ଯଦି ସେ ଖେଳି ନ ପାରନ୍ତି ତେବେ ଦଳ ପାଇଁ ବଡ଼ ଝଟ୍‌କା ହେବ।