ଇସଲାମବାଦ,୩୦।୫: ପାକିସ୍ତାନ ବିରୋଧରେ ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କ୍ରୋଧିତ ଅଛନ୍ତି। ତାଜିକିସ୍ତାନରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଶେହବାଜ ସରିଫ ସିନ୍ଧୁ ଜଳ ଚୁକ୍ତିକୁ ଗାଜା ସଙ୍କଟ ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ ଗାଜାରେ ଅସ୍ତ୍ର ବ୍ୟବହାର ଦ୍ୱାରା ହେଉଥିବା କ୍ଷତକୁ ବିଶ୍ୱ ଦେଖୁଛି। ଏହା ଦେଖାଯାଉଛି ଯେପରି ଗୋଟିଏ କ୍ଷତ ଯଥେଷ୍ଟ ନୁହେଁ। ଏବେ ଆମେ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର ହେଉଥିବାର ଦେଖୁଛୁ।
ପାକିସ୍ତାନୀ ଖବରକାଗଜ ଡନର ରିପୋର୍ଟ ଅନୁଯାୟୀ, ଶାହବାଜ ସରିଫ କହିଛନ୍ତି ଯେ ଭାରତ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି, କିନ୍ତୁ ପାକିସ୍ତାନ ଭାରତକୁ ସିନ୍ଧୁ ଜଳ ଚୁକ୍ତିନାମାରେ ରେଖା ଅତିକ୍ରମ କରିବାକୁ ଦେବ ନାହିଁ। ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ହିମବାହ ସଂରକ୍ଷଣ ଉପରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଶାହବାଜ ସରିଫ ଏହି କଥା କହିଛନ୍ତି।
ଶାହବାଜ ସରିଫ କହିଛନ୍ତି, “ସିନ୍ଧୁ ନଦୀ ଅବବାହିକାର ଜଳ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ଏକପାଖିଆ ଏବଂ ବେଆଇନ ନିଷ୍ପତ୍ତି ଚିନ୍ତାଜନକ। ରାଜନୈତିକ ଲାଭ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବନ୍ଧକ କରାଯିବା ଉଚିତ୍ ନୁହେଁ। ପାକିସ୍ତାନ ଏହା ହେବାକୁ ଦେବ ନାହିଁ। ଆମେ କେବେ ବି ରେଖା ଅତିକ୍ରମ କରିବାକୁ ଦେବୁ ନାହିଁ।”
ପ୍ରଧାନମନ୍ତ୍ରୀ ଶାହବାଜ କହିଛନ୍ତି, “ଆଜି ବିଶ୍ୱ ଗାଜାରେ ପାରମ୍ପରିକ ଅସ୍ତ୍ର ବ୍ୟବହାରର ନୂତନ ଚିହ୍ନ ସାମ୍ନା କରୁଛି, ଯାହା ଗଭୀର କ୍ଷତ ଛାଡିଛି। ଏବେ ପାଣି ବନ୍ଦ କରି ଆଉ ଏକ ବିପଦପୂର୍ଣ୍ଣ ଅସ୍ତ୍ର ବ୍ୟବହାର କରାଯାଉଛି।” ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ସମେତ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପୂର୍ଣ୍ଣ ଭାଷଣରେ ଥରେ ମଧ୍ୟ ଉଲ୍ଲେଖ କରିନଥିଲେ ଯେ ଭାରତ ଏହି କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ନେଲା।
ସିନ୍ଧୁ ଜଳ ଚୁକ୍ତିନାମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଐତିହାସିକ ଚୁକ୍ତିନାମା। ଏହା 1960 ମସିହାରେ ସ୍ବାକ୍ଷରିତ ହୋଇଥିଲା। ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ତତ୍କାଳୀନ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନ ସୱାକ୍ଷର କରିଥିଲେ। ଏଥିରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିଥିଲା। ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ମଧ୍ୟରେ ନଦୀର ଜଳ ବଣ୍ଟନ ପାଇଁ ସର୍ତ୍ତାବଳୀ ସ୍ଥିର କରି ବିବାଦର ଅନ୍ତ କରିବା। ସିନ୍ଧୁ ନଦୀ ପ୍ରଣାଳୀରେ ତିନୋଟି ପୂର୍ବ ନଦୀ ରବି, ବ୍ୟାସ, ସତଲେଜ ଏବଂ ତିନୋଟି ପଶ୍ଚିମ ନଦୀ ସିନ୍ଧୁ, ଝେଲମ, ଚେନାବ ସମେତ ମୋଟ ଛଅଟି ନଦୀ ଅନ୍ତର୍ଭୁକ୍ତ।
ଏହି ଚୁକ୍ତିନାମା ଅନୁଯାୟୀ, ଭାରତକୁ ପୂର୍ବ ନଦୀଗୁଡ଼ିକର ନିୟନ୍ତ୍ରଣ ଏବଂ ବ୍ୟବହାର କରିବାର ଅଧିକାର ମିଳିଛି, ଯେତେବେଳେ ପାକିସ୍ତାନକୁ ପଶ୍ଚିମ ନଦୀଗୁଡ଼ିକର ନିୟନ୍ତ୍ରଣ ମିଳିଛି। ପାକିସ୍ତାନର ପ୍ରାୟ 80 ପ୍ରତିଶତ କୃଷି ଜଳସେଚନ ସିନ୍ଧୁ ଜଳ ପ୍ରଣାଳୀ ଉପରେ ର୍ନିଭର କରେ। ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦିଏ, ତେବେ ପାକିସ୍ତାନରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ପାଣି ପହଞ୍ଚିପାରିବ ନାହିଁ, ଯାହା ଜଳ ସଙ୍କଟ ସୃଷ୍ଟି କରିବ ଏବଂ ଏହାର ସିଧାସଳଖ ପ୍ରଭାବ ସେଠାରେ କୃଷି ଉପରେ ପଡ଼ିବ।