ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ ସର୍ବିନା କାର୍ପେଣ୍ଟର, ଦୋଏଚି, ଭିଭିଆନ୍ ଓ୍ବିଲ୍ସନ, ନିକୋଲେ ସ୍କେର୍ଜିଙ୍ଗର, ଓ୍ବାଲ୍ଟନ ଗୋଗିନ୍ସ, ଜେନିଫର ଲରେନ୍ସ, ଶାଇଗିଲ୍ଗେଅସ୍-ଆଲେକ୍ଜାଣ୍ଡାର, କୋଲେ ଏସ୍କୋଲା ଏବଂ ନୋଆହ ଓ୍ବିଲେ ପ୍ରମୁଖ ସେଲିବ୍ରିଟି ରହିଥିବାବେଳେ ଭାରତରୁ କେବଳ ଶାହରୁଖ୍ ସ୍ଥାନ ପାଇଛନ୍ତି।
୬୦ ବର୍ଷୀୟ ସୁପରଷ୍ଟାର କିଙ୍ଗ୍ ଖାନ୍ ଚଳିତବର୍ଷ ଆୟୋଜିତ ମେଟ୍ ଗାଲାରେ ନଜର ଆସିଥିବାରୁ ତାଙ୍କୁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ମେଟ୍ ଗାଲା ଇଭେଣ୍ଟରେ ଯୋଗଦାନ ବେଳେ ଶାହରୁଖ୍ ଜଣାଶୁଣା ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରିଥିଲେ। ବଲିଉଡ୍ ତଥା ବିଶ୍ୱର ଅନ୍ୟତମ ବଡ଼ ତାରକା ଭାବେ ପରିଚିତ ଏସ୍ଆର୍କେଙ୍କ ବହୁ ପ୍ରଶଂସକ ରହିଛନ୍ତି। ଏଥର ମେଟ୍ ଗାଲାରେ ତାଙ୍କୁ ଅତିଥି ଭାବେ ଦେଖିବାକୁ ମିଳିଥିଲା। ସେ ପିନ୍ଧିଥିବା ନେକ୍ଲେସ୍ରେ ‘କେ’ ଅକ୍ଷର ରହିଥିଲା। ଶାହରୁଖ୍ଙ୍କୁ ଆଗାମୀ ଫିଲ୍ମ ‘କିଙ୍ଗ୍’ରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଝିଅ ସୁହାନା ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଅଭିନୟ କରୁଛନ୍ତି। ୨୦୨୩ରେ ପଠାନ୍ର ନିର୍ଦ୍ଦେଶନା ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଏହାର ଡାଇରେକ୍ଟର। ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ ଓ ମାର୍ଫ୍ଲିକ୍ସ ପିକ୍ସର୍ସ ବ୍ୟାନରରେ ଏହି ହିନ୍ଦୀ ସିନେମା ନିର୍ମାଣ କରାଯାଉଛି।