ନୂଆଦିଲ୍ଲୀ,୨୮।୨: ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ରାଜ୍ୟ ଗୃହମନ୍ତ୍ରୀ ଆଶିଷ ସୁଦ, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଏବଂ ସ୍ବରାଷ୍ଟ୍ରମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଦିଲ୍ଲୀ ପୋଲିସ ଏବଂ ନୂଆ ସରକାରଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ବୈଠକ ସମୟରେ, ଜାତୀୟ ରାଜଧାନୀରେ ବଢ଼ୁଥିବା ଅପରାଧ ଏବଂ ସୁରକ୍ଷା ବିପଦ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅମିତ ଶାହା ରାଜଧାନୀର ସୁରକ୍ଷା ସମ୍ପର୍କରେ କଠୋର ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଦିଲ୍ଲୀର ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ପ୍ରାଥମିକତା ହେବା ଉଚିତ। ସେହି ସମୟରେ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।