ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଆଘାତପ୍ରାପ୍ତ ପ୍ରତୀକା ରାଓ୍ୱଲଙ୍କ ବଦଳରେ ସେଫାଳିଙ୍କୁ ଭାରତୀୟ ଦଳରେ ନିଆଯାଇଥିଲା। ସେ ୭୮ ବଲ୍ରେ ୮୭ ରନ କରିଥିଲେ, ଯାହାକି ଏକ ମହିଳା ବିଶ୍ୱକପ୍ ଫାଇନାଲରେ ଜଣେ ଭାରତୀୟ ଓପନର ହିସାବରେ ଏହା ସର୍ୱାଧିକ। ନବି ମୁମ୍ୱାଇରେ ଶେଫାଳିଙ୍କ ଏହି ଇନିଂସ ବଳରେ ଭାରତ ୭ ଉଇକେଟରେ ୨୯୮ ରନ କରି ମ୍ୟାଚ୍କୁ ୫୨ ରନରେ ଜିତି ପ୍ରଥମ ଥର ବିଶ୍ୱକପ୍ ଟ୍ରଫି ହାସଲ କରିଥିଲା।
ଶେଫାଳି ଓ ଓପନର ସ୍ମୃତି ମନ୍ଧାନା ଓପନିଂ ପାର୍ଟନରଶିପ୍ରେ ୧୦୪ ରନ ଯୋଗ କରିବା ଦ୍ୱାରା ଭାରତ ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲା। ୨୧ ବର୍ଷୀୟ ଏହି କ୍ରିକେଟର ଥାଇଲାଣ୍ଡର ଥିପାଚା ପୁଥାଓଙ୍ଗ୍ ଏବଂ ୟୁଏଇର ଇଶା ଓଜାଙ୍କୁ ପଛରେ ପକାଇ ପ୍ରଥମ ଥର ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ଜିତିପାରିଛନ୍ତି।