୧ ନିୟୁତ ଡଲାର ଦେବ ଏସ୍‌ଏଫ୍‌ଜେ

ନୂଆଦିଲ୍ଲୀ, ୩୦।୧୧(ଆଇଏଏନ୍‌ଏସ୍‌): ହଜାର ହଜାର କୃଷକ ଦିଲ୍ଲୀର ତିନୋଟି ଆନ୍ତଃରାଜ୍ୟ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ବେଆଇନ ପୃଥକବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ଗୋଳିଆ ପାଣିରୁ ମାଛ ଧରିବାକୁ ଉଦ୍ୟମ କରିଛି। ହରିୟାଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ଓ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ଉକ୍ତ ସଂଗଠନ ୧ ନିୟୁତ ଡଲାର ସହାୟତା ଘୋଷଣା କରିଛି। ଏହା ଜଣାପଡ଼ିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଏସ୍‌ଏଫ୍‌ଜେ ସହାୟତା ନାମରେ ପରିସ୍ଥିତିରୁ ଫାଇଦା ଉଠାଇବା ପାଇଁ ନିରୀହ କୃଷକମାନଙ୍କୁ ପ୍ରବର୍ତ୍ତାଇପାରେ। ସେଥିପାଇଁ ସାଦା ପୋଷାକଧାରୀ ସୁରକ୍ଷା କର୍ମୀମାନେ ଏସ୍‌ଏଫ୍‌ଜେ ସମର୍ଥକଙ୍କ ଉପରେ କଡ଼ା ନଜର ରଖିଛନ୍ତି।