କାଶୀନଗର, ୨ା୧୧(ପି.ମୁରଲୀ): ଗଜପତି ଜିଲା କାଶୀନଗର ଥାନା ଅନ୍ତର୍ଗତ ଏକ କଲୋନୀ ନିକଟରେ ଥିବା ଏକ ଘରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇ କାଶୀନଗର ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଧରି ପଚରାଉଚରା କରିଥିଲା। ରବିବାର କାରବାର କରୁଥିବା ଚିପୁରୁ ୱାସୁ ନାମକ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯେଉଁ ଘରେ ଏହି ରାକେଟ୍ ଚାଲିଥିଲା ସେହି ଘରର ମାଲିକଙ୍କୁ ମଧ୍ୟ ପୋଲିସ ଆଣି ପଚରାଉଚରା କରୁଛି। ଏନେଇ ନଂ. ୧୭୩/୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁନିଲ ବେହେରା କହିଛନ୍ତି।
ସମ୍ପୃକ୍ତ ଘରେ ସେକ୍ସ ରାକେଟ୍ ଚାଲିଥିବା କୌଣସି ସୂତ୍ରରୁ ସୂଚନା ପାଇ ଏସ୍ପି ଯତୀନ୍ଦ୍ର ପଣ୍ଡା କାଶୀନଗର ଥାନା ଅଧିକାରୀ ବେହେରାଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଆଲୋକ ଜଗଦଲାଙ୍କ ସହ ଏକ ଟିମ୍ ସମ୍ପୃକ୍ତ ଘରେ ଚଢାଉ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଘରୁ ପୋଲିସ ଦୁଇ ଜଣ ଯୁବତୀଙ୍କ ସହ ଜଣେ ଗ୍ରାହକ ଓ ଘର ମାଲିକଙ୍କୁ ଧରିଥିଲା।
ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ସୁଧୀର ନନ୍ଦଙ୍କ ଉପସ୍ଥିତିରେ ଉକ୍ତ ଘରୁ ମଦ ବୋତଲ, କଣ୍ଡୋମ ପ୍ୟାକେଟ ଜବତ କରାଯାଇଛି। ଗ୍ରାହକ ସାଜିଥିବା ଚିପୁରୁ ବାହାର ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇଥିଲେ। ଘର ମାଲିକ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା ଥାନା ଅଧିକାରୀ ବେହେରା କହିଛନ୍ତି। ଗତ ଦୁଇ ତିନି ମାସ ହେଲା ଏହି ସେକ୍ସ ରାକେଟ ଚାଲିଥିବା ତଦନ୍ତରୁ ଜଣାପଡିଛି।
ଅଟକ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ କାଶୀନଗର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳରବୋଲି ଜଣାପଡିଛି। ସମ୍ପୃକ୍ତ ଘରକୁ ସିଲ୍ କରାଯାଇ ଏ ସମ୍ପର୍କରେ ସାଇଣ୍ଟିଫିକ ଟିମ୍କୁ ଥାନା ପକ୍ଷରୁ ଅବଗତ କରାଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି।