Categories: Home Leftଖେଳ

ସେଭିଲା ଷ୍ଟାଡିୟମ ଭଙ୍ଗାରୁଜା: ୪ ଅଭିଯୁକ୍ତ ଗିରଫ

ସେଭିଲ,୮ା୮: ଗତ ମେ’ ମାସରେ ସେଲ୍ଟା ଭିଗୋଠାରୁ ପରାଜୟ ପରେ ସେଭିଲା କ୍ଲବର ଟ୍ରେନିଂ ଗ୍ରାଉଣ୍ଡରେ ହୋଇଥିବା ଭଙ୍ଗାରୁଜା ଘଟଣା ଲାଗି ଶୁକ୍ରବାର ୪ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍‌ରେ ପରାଜୟ ଯୋଗୁ ଖେଳାଳିମାନେ ସୁରକ୍ଷାଜନିତ କାରଣରୁ ପୂରା ରାତି କମ୍ପ୍ଲେକ୍ସରେ ରହିଥିଲେ। ପ୍ରଶଂସକଙ୍କ ଏକ ବଡ଼ ଗୋଷ୍ଠୀ ଜୋସ ରାମନ ସିସନେରସ ପାଲାସିଓସ ଟ୍ରେନିଂ ଗ୍ରାଉଣ୍ଡ ମଧ୍ୟକୁ ଧଶେଇ ପଶିଥିଲେ।

ମୁହଁ ଘୋଡ଼ାଇ ରଖିଥିବା ଅନେକ ପ୍ରଶଂସକ କାର୍‌ ପ୍ରବେଶ ପଥରେ ଥିବା ଗେଟ୍‌କୁ ଭାଙ୍ଗିବା ପରେ ଗ୍ରାଉଣ୍ଡ ଭିତରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ କ୍ଲବ ପକ୍ଷରୁ ନିନ୍ଦା କରାଯିବା ସହ ଏହାକୁ ସଂଗଠିତ ଭଙ୍ଗାରୁଜା କୁହାଯାଇଥିଲା।

ଗତ ସିଜନରେ ଅଳ୍ପକେ ରିଲେଗଶନରୁ ବର୍ତ୍ତିଥିବା ସେଭିଲା ୨-୩ ଗୋଲରେ ଭିଗୋଠାରୁ ପରାଜିତ ହେବା ପରେ ହିଂସାକାଣ୍ଡ ତେଜି ଥିଲା। ସ୍ପାନିଶ ଖବରକାଗଜ ମାର୍କାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଷ୍ଟାଡିୟମ ଭଙ୍ଗାରୁଜା ଘଟଣାର ତଦନ୍ତ ଚାଲିଛି ଏବଂ ୪ ଜଣଙ୍କୁ ଗିରଫ କରାଯାଇଛି। ହେଲେ ରିପୋର୍ଟରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ କିମ୍ବା ଶୁଣାଣି ତାରିଖ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

Share