ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ ଶୀତର ପ୍ରଭାବ ଜାରି ରହିଥିବା ଯୋଗୁ ଲୋକମାନେ ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ହୋଇଗଲେଣି। ସୋମବାର ମଧ୍ୟ ୫ ଡିଗ୍ରୀ ସେଲସିଅସ ରହି ମଧ୍ୟ ରାଜ୍ୟର ସବୁଠାରୁ କମ ତାପମାତ୍ରା ରହିଥିଲା। ରବିବାର ଦିନ ୪. ୨ ରହିଥିବାବେଳେ ଶନିବାର ଓ ଶୁକ୍ରବାର ଦିନ ୩. ୧ ଡିଗ୍ରୀ ରହିଥିଲା। ପ୍ରବଳ ଶୀତ, କୋହଲା ପବନ ଓ ଘନ କୁହୁଡି ଯୋଗୁ ଜୀବନ ଜୀବିକା ପ୍ରଭାବିତ ହେଉଛି। ଘରେ ଘରେ ଥଣ୍ଡା ଜ୍ୱରରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ସକାଳ ୧୦ ଘଣ୍ଟା ସୁଦ୍ଧା ଘରୁ ବାହାରବା କଷ୍ଟ ହେଉଛି। ଏଣେ ଜି ଉଦୟଗିରିର ଆଖପାଖ ଅଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳ ଥିବା ଯୋଗୁ ପର୍ଯ୍ୟଟକ ମାନଙ୍କ ସଂଖ୍ୟ ବଢ଼ିଚାଲିଛି। ଜି ଉଦୟଗିରିର ସିରିକି ଡ୍ୟାମ ନିକଟରେ ବନବିଭାଗ ତରଫରୁ ମଣ୍ଡଶୁର ପରି ଇକୋ କଟେଜ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ଜି ଉଦୟଗିରି କୁ ରାଜ୍ୟସରକାର ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା କଲେ ଅଧିକ ପର୍ଯ୍ୟଟକ ଆସିବେ ଓ ଏଠିକା ଲୋକଙ୍କ ଆର୍ଥିକ ବିକାଶ ହୋଇପାରିବ ବୋଲି ସହରର ବରିଷ୍ଠ ନାଗରିକ କେ ସୂର୍ଯ୍ୟନାରାୟଣ ପାତ୍ର, ବିନୋଦ ବିହାରୀ ଦାଶଙ୍କ ସମେତ ଅନେକ ବୁଦ୍ଧିଜୀବୀ କହୁଛନ୍ତି।