ହୋଟେଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶରେ ଲକ୍ଷ୍ନୌରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ବନ୍ଧୁତାର ବୀଭତ୍ସ ପରିଣତି ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ବନ୍ଧୁତା ଆଳରେ ଛାତ୍ରୀଙ୍କୁ ଭେଟିବା ପାଇଁ ହୋଟେଲକୁ ଡକାଇ ଅନ୍ୟ ୨ ସହଯୋଗୀଙ୍କ ସହ ଗଣବଳାତ୍କାର କରିଛନ୍ତି।

୩ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଛନ୍ତି। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାଆ ସରୋଜିନୀନଗର ଥାନାରେ ଅଭିଯୋଗ କରିଥିଲେ।

ପୀଡ଼ିତାଙ୍କ କହିବା ଅନୁଯାୟୀ ଜଣେ ଯୁବକଙ୍କ ସହ ଇନ୍‌ଷ୍ଟାଗ୍ରାମରେ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ସେ ଯୁବକଙ୍କ ସହ ଅନେକ ସମୟରେ ଫୋନ୍‌ରେ କଥା ହେଉଥିଲେ। ଅଭିଯୁକ୍ତ ଆଗ୍ରା ଏକ୍ସପ୍ରେସ୍‌ଓ୍ବେ ନିକଟରେ ରହୁଥିବା ତାଙ୍କୁ କହିଥିଲେ। ଯୁବକଙ୍କ ଆମନ୍ତ୍ରଣକ୍ରମେ ଛାତ୍ରୀଜଣକ ଗତ ଅକ୍ଟୋବର ୧୦ ତାରିଖ ରାତି ୧୦ଟାରେ ତାଙ୍କୁ ଭେଟିବାକୁ ଘରୁ ବାହାରିଯାଇଥିଲେ।

ଅଭିଯୁକ୍ତଙ୍କ ସହ ଅନ୍ୟ ୨ ଯୁବକ ଏକ ସ୍କର୍ପିଓରେ ଆସି ପହଞ୍ଚିବା ପରେ ଛାତ୍ରୀଙ୍କୁ ଆଇଆଇଏମ୍‌ ରୋଡରେ ଥିବା ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ସେମାନେ ଜଣକ ପରେ ଜଣେ ଛାତ୍ରୀଙ୍କୁ ବଳାତ୍କାର କରିବା ସହ ଘଟଣାର ଭିଡିଓ ରେକର୍ଡିଂ କରାଇଥିଲେ। ଛାତ୍ରୀ ପ୍ରତିରୋଧ କଲେ ଉକ୍ତ ଭିଡିଓକୁ ଭାଇରାଲ କରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ସେମାନେ ପୀଡ଼ିତାଙ୍କ ଫୋନ୍‌ ନେଇଯିବା ସହ ତାଙ୍କୁ କିଛିଦିନ ଘରେ ବନ୍ଦ କରି ରଖିବା ପରେ ୧୪ ତାରିଖରେ ତାଙ୍କ ଘର ନିକଟରେ ଛାଡ଼ି ଚାଲିଯାଇଥିଲେ।

Dharitri – Odisha’s No.1 Odia Daily