ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ହୁମା ଓ ଝାଡ଼କୁଦା ମଧ୍ୟରେ ଥିବା ଦଷ୍ଟିଙ୍ଗ ନିକଟ ୧୬ ନଂ ଜାତୀୟ ରାଜପଥଠାରେ ମଙ୍ଗଳବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା l ରାସ୍ତାରେ ଏକ ଗାଈକୁ ଦେଖି ଟ୍ରକ ଡ୍ରାଇଭର ଗାଡିର ବେଗ କମାଇବା ପରେ ପ୍ରଥମେ ପଛରେ ଆସୁଥିବା ପିକଅପ୍ ଗାଡି ଟ୍ରକ ପଛକୁ ଧକ୍କା ଦେଇଥିଲା l ତାପରେ ପଛରୁ ଆସୁଥିବା ଟ୍ରକ ପିକଅପକୁ ଧକ୍କା ଦେଇଥିଲା ଏବଂ ଟ୍ରକ ପଛରେ ଆସୁଥିବା ଖମ୍ବେଶ୍ବରୀ ବସ ମଧ୍ୟ ଟ୍ରକର ପଛକୁ ପିଟି ହୋଇଯାଇଥିଲା l ଏହି ସିରିଜ ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବାବେଳେ ଗାଡିର ଅନ୍ୟ ଦୁଇରୁ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି l ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି l ଖବର ପାଇ ହୁମା ଫାଣ୍ଡି ପୋଲିସ ସ୍ଥାନୀୟ ଲୋକଙ୍କ ସହ ମିଶି ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଡ୍ରାଇଭରଙ୍କୁ ମେଡିକାଲ ପଠାଇଥିଲେ l ଅଗ୍ନିଶମ ଗାଡି ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ ଛଟେଇ, ଶିବ ପ୍ରଧାନ, ବିଦ୍ୟା ସ୍ବାଇଁଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା l ପ୍ରକାଶ ଥାଉକି ରମ୍ଭାଠାରୁ ପ୍ରାୟ ବ୍ରହ୍ମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସହ ସହ ବୁଲା ଗାଈ ଗୋରୁଙ୍କ ପାର୍ଦୁଭାବ ଯୋଗୁ ଦୈନଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି l ଏଥିସହ ହୁମା ଓ ଗଞ୍ଜାମ ମଧ୍ୟରେ ଜାତୀୟ ରାଜପଥ ଅବସ୍ଥା ନ କହିବା ଭଲ l ସେଥିପାଇଁ ମଧ୍ୟ ବାରମ୍ବାର ଦୁର୍ଘଟଣା ଘଟୁଛି l