ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ ଚରଣ ମଳିକଙ୍କ ଘରେ ସମସ୍ତେ ଶୋଇ ଥିବା ବେଳେ ବିଳମ୍ବିତ ରାତିରେ ଯେଉଁ ରୁମ୍ରେ କେହି ଶୋଇ ନଥିଲେ ସେଠାରୁ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଇଛନ୍ତି। ତେବେ ଅନ୍ୟ ଘରେ ଶୋଇଥିବା କାରଣରୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇ ଯାଇଛନ୍ତି।
ସେହିପରି ଉକ୍ତ ଗାଁର ଶଙ୍କର ରଣାଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ବେଳେ ସ୍ଥାନୀୟ ଖପରା ଢିଅ ଗାଁର ଗୌରାଙ୍ଗ ସାହୁଙ୍କ ଘରୁ ବି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ମଙ୍ଗଳବାର ଉକ୍ତ ଥାନା ଅନ୍ତର୍ଗତ ଶାନ୍ତିବଜାର ନିକଟରେ ଥିବା ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ଘର ଗେଟ୍ ତାଲା ଭାଙ୍ଗି ଘରେ ପଶି ୧୧ ଭରି ସୁନା ଅଳଙ୍କାର, ୩୪୦ ଗ୍ରାମ ରୂପା ଅଳଙ୍କାର, ନଗଦ ୨ଲକ୍ଷ ୨୫ହଜାରରୁ ଊର୍ଦ୍ଧ୍ୱଟଙ୍କା, ଲାପଟପ ଓ ବିଦେଶୀ ଘଣ୍ଟା ଲୁଟ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଭଳି ବାରମ୍ବାର ଚୋରି ସାଧାରଣ ଲୋକଙ୍କ ନିଦ ହଜାଇ ଥିବା ବେଳେ ଅଞ୍ଚଳବାୀସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଅପର ପକ୍ଷରେ ପୋଲିସର ଭୂମିକାକୁ ନେଇ ପୁଣି ପ୍ରଶ୍ନ ଉଠିଛି।