New York : Serena Williams, of the United States, returns a shot to Kristie Ahn, of the United States, during the first round of the US Open tennis championships, Tuesday, Sept. 1, 2020, in New York. AP/PTI(AP02-09-2020_000007B)
ନୁୟର୍କ, ୩।୯(ଏପି)- ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସ ବିଜୟୀ ହୋଇଥିବାବେଳେ ତାଙ୍କ ବଡ଼ ଭଉଣୀ ଭେନସ ପରାଜିତ ହୋଇଛନ୍ତି। ଚଳିତ ମାସରେ ୩୯ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସେରେନା ପ୍ରଥମ ରାଉଣ୍ଡରେ କ୍ରିଷ୍ଟି ଆହନ୍ଙ୍କୁ ୭-୫, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ୟୁଏସ ଓପନରେ ଏହାଥିଲା ତାଙ୍କର ୧୦୨ତମ ବିଜୟ। ଏଥିସହ ପେସାଦାର ଯୁଗରେ ସେ ସର୍ବାଧିକ ମ୍ୟାଚ ବିଜୟରେ କ୍ରିସ୍ ଏଭର୍ଟଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଅନ୍ୟପକ୍ଷରେ ୪୦ ବର୍ଷୀୟା ଭେନସ ନିଜର ୨୨ଥର ପଦାର୍ପଣରେ ପ୍ରଥମଥର ପାଇଁ ପ୍ରଥମ ରାଉଣ୍ଡରେ କାରୋଲିନା ମୁଚୋଭାଙ୍କଠାରୁ ୩-୬, ୫-୭ ସେଟ୍ରେ ହାରି ଯାଇଛନ୍ତି। ଗତ ୫ଟି ଗ୍ରାଣ୍ଡସ୍ଲାମରୁ ୪ର୍ଥ ଥରପାଇଁ ଭେନସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି ଦୀର୍ଘ ୮ ବର୍ଷ ପରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବା କିମ୍ କ୍ଲାଇଷ୍ଟର୍ସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେ ଏକ୍ଟେରିନା ଆଲେକ୍ସାଣ୍ଡ୍ରୋଭାଙ୍କଠାରୁ ୬-୩, ୫-୭, ୧-୬ ସେଟ୍ରେ ପରାଜିତ ହୋଇଛନ୍ତି। ପୂର୍ବତନ ଚାମ୍ପିୟନ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ କିନ୍ତୁ ନିଜର ପ୍ରଥମ ରାଉଣ୍ଡ ମ୍ୟାଚରେ ରୋମାନିଆର ମିହାଲା ବୁଜାର୍ନେସ୍କୁଙ୍କୁ ୬-୩, ୬-୩ ସେଟ୍ରେ ହରାଇ ଆଗକୁ ବଢ଼ିଛନ୍ତି। ୨୦୧୭ରେ ସ୍ଲୋଆନେ ଏଠାରେ ଟାଇଟଲ ହାସଲ କରିଥିଲେ।
ମୁରେଙ୍କ କଷ୍ଟସାଧ୍ୟ ବିଜୟ
ବ୍ରିଟେନର ଆଣ୍ଡି ମୁରେ କଷ୍ଟସାଧ୍ୟ ବିଜୟ ସହ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ପାଖାପାଖି ୨୦ ମାସପରେ ପ୍ରଥମ ଗ୍ରାଣ୍ଡସ୍ଲାମ ଖେଳୁଥିବା ମୁରେ ପ୍ରଥମ ୨ ସେଟ୍ରେ ପରାଜିତ ହୋଇଥିଲେ ହେଁ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଥିଲେ। ଆର୍ଥର ଆଶ୍ ଷ୍ଟାଡିୟମରେ ୪ ଘଣ୍ଟା ୩୯ ମିନିଟଧରି ଚାଲିଥିବା ମ୍ୟାଚରେ ଜାପାନର ୟୋଶିହିତୋ ନିଶିଓକାଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇବାପରେ ସେ ୪-୬, ୪-୬, ୭-୬(୫), ୭-୬(୪), ୬-୪ ସେଟ୍ରେ ବିଜୟ ହାସଲ କରିଥିଲେ। ମ୍ୟାଚ ପରେ ମୁରେ ଆଇସ୍ ବାଥ୍ କରିଥିଲେ। ଗତବର୍ଷ ଏହି ପ୍ରତିଯୋଗିତାରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଡାନିଲ ମେଡଭେଡେଭ ଏଥର ପ୍ରଥମ ରାଉଣ୍ଡରେ ଫେଡରିକୋ ଡେଲବୋନିସଙ୍କୁ ୬-୧, ୬-୨, ୬-୪ ସେଟ୍ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।