ବରିଷ୍ଠ ବିଜେଡି ନେତା ବଟକୃଷ୍ଣ ପଣ୍ଡାଙ୍କ ପରଲୋକ, ଛାତ୍ର ଜୀବନରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର

ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ଗଞ୍ଜାମ ଜିଲା ବିଜେଡି ସମ୍ପାଦକ ବଟକୃଷ୍ଣ ପଣ୍ଡାଙ୍କ ୬୯ ବର୍ଷ ବୟସରେ ବିୟୋଗ ଘଟିଛି। କୌଣସି ଏକ ରୋଗରେ କିଛି ମାସ ପୀଡିତ ଥିଲେ ସେ। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ସ୍ବର୍ଗତ ପଣ୍ଡା ଛାତ୍ର ଜୀବନରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ସେ ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ ପରିଚିତ ଥିଲେ। ସେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବ୍ରହ୍ମପୁର ଲୋକ ସଭା ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଥିଲେ। ରାଜପୁର ସେବା ସମବାୟ ସମିତିର ଚାରିଥର ସଭାପତି, ସ୍ବର୍ଗତ ପଣ୍ଡାଙ୍କ ନେତୃତ୍ୱରେ ଦୁଇ ଦଶନ୍ଧି ଧରି ସମିତି ସଭ୍ୟ /ସରପଞ୍ଚ ବିଜେଡି ଅକ୍ତିଆରରେ ରଖିଥିଲା । ତାଙ୍କ ବିୟୋଗରେ ବିଜେଡି ଜଣେ ଟାଣୁଆ ନେତାକୁ ହରାଇଲା ବୋଲି ଗଞ୍ଜାମ ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିୟୋଗ ଖବର ପାଇ ବିଜେଡି ଛତ୍ରପୁର ବ୍ଲକ ସଭାପତି ପ୍ରଭାସି ନାହାକ, ଯୁବ ନେତା ବିମଳ ପଣ୍ଡା, ସରପଞ୍ଚ ରଞ୍ଜନ ପଲାଇ, ସମିତି ସଭ୍ୟ ମଳୟ ଦାସ, ପୂର୍ବତନ ସମିତି ସଭ୍ୟ ଶମ୍ବୁ ନାଥ ସୱାଇଁଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।