ହଲିଉଡ ଗାୟିକା ସେଲିନା ଗୋମେଜଙ୍କୁ ମିଳିଲା ସ୍ବପ୍ନର ରାଜକୁମାର, ଜାଣନ୍ତୁ ଧରିଲେ କାହା ହାତ?

ଲଣ୍ଡନ: ହଲିଉଡର ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କୁ ଶେଷରେ ତାଙ୍କ ସ୍ବପ୍ନର ରାଜକୁମାର ମିଳିଛି। ସେଲିନା ତାଙ୍କ ଦୀର୍ଘ ଦିନର ପ୍ରେମିକ ବେନୀ ବ୍ଲାଙ୍କୋଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେଲେନା ଓ ବେନୀଙ୍କ ବିବାହ ଖବର ପ୍ରଶଂସକମାନଙ୍କୁ ଭାବୁକ କରିଦେଇଛି। ୩୩ ବର୍ଷୀୟ ସେଲିନା ଜୀବନରେ ବାସ୍ତବ ପ୍ରେମକୁ ଭେଟିବା ପରେ ବିଳମ୍ବ ନକରି ସେ ତାଙ୍କ ସହ ବିବାହ କରିଛନ୍ତି। ସେଲିନା ଓ ବେନୀ ଦୁହେଁ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିବାହର ଫଟୋଗୁଡ଼ିକ ଅତ୍ୟନ୍ତ ସୁନ୍ଦର ହୋଇଛି।

୨୭ ସେପ୍ଟେମ୍ବରରେ ସେଲିନା ଗୋମେଜ ଓ ବେନୀ ବ୍ଲାଙ୍କୋ ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ଏକାନ୍ତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଖ୍ରୀଷ୍ଟିୟାନ ଧର୍ମର ରୀତିନୀତି ଅନୁସାରେ ସେଲେନା ଓ ବେନୀ ସାରା ଜୀବନ ଏକାଠି ରହିବାର ଶପଥ ନେଇଛନ୍ତି। ଏବେ ସେଲେନା ମିସ୍‌ରୁ ମିସେସ ବ୍ଲାଙ୍କୋ ହୋଇଛନ୍ତି, ଯାହାର ଅପେକ୍ଷା ପ୍ରଶଂସକମାନେ ବେଶ ଉତ୍ସାହର ସହ କରିଥିଲେ।

ବେନୀ ଜଣେ ଆମେରିକୀୟ ରେକର୍ଡ ପ୍ରଯୋଜକ ଏବଂ ଗୀତିକାର। ଦମ୍ପତି ବିବାହର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେଲିନା ଏକ ଅତ୍ୟନ୍ତ ସୁନ୍ଦର ଧଳା ରଙ୍ଗର ଗାଉନ ପିନ୍ଧିଛନ୍ତି। ସେଲିନାଙ୍କ ଖୁସି ଦେଖି ପ୍ରଶଂସକମାନେ ମଧ୍ୟ ଭାବୁକ ହୋଇଛନ୍ତି ଯେ ଅଭିନେତ୍ରୀଙ୍କୁ ଶେଷରେ ତାଙ୍କର ପ୍ରେମ ମିଳିଛି, ଯାହାର ସେ ଯୋଗ୍ୟ ଥିଲେ।

ହଲିଉଡର ଅନେକ ତାରକା ସେଲିନା ଗୋମେଜ ଓ ବେନୀ ବ୍ଲାଙ୍କୋଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। ସେଲିନାଙ୍କ ପୋଷ୍ଟରେ ବେନୀ ମନ୍ତବ୍ୟ କରି ଲେଖିଛନ୍ତି, ’ବାସ୍ତବ ଜୀବନରେ ମୋର ସ୍ତ୍ରୀ।’ ଗତ ବର୍ଷ ସେଲେନା ଓ ବେନୀଙ୍କର ନିର୍ବନ୍ଧ ହୋଇଥିଲା। କହିରଖୁଛୁ ଯେ ସେଲିନା ବେନୀଙ୍କ ପୂର୍ବରୁ ଜଷ୍ଟିନ ବିବର, ଟେଲର ଲଟନର ଓ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ ଜୋନାସଙ୍କୁ ଡେଟ କରିଥିଲେ।