Categories: Home Leftଖେଳ

ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି

ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ ପଡ଼ିଆରେ ଖେଳିବେ। ଆସନ୍ତା ୨୦ ତାରିଖରୁ ଓମାନଠାରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ରେ ଇଣ୍ଡିଆ ମହାରାଜ ଦଳ ପାଇଁ ଖେଳିବେ ଦୁଇ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ।

ଏଲ୍‌ଏଲ୍‌ସି ହେଉଛି ଅବସରପ୍ରାପ୍ତ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପାଇଁ ଏକ ପେଶାଦାର ଟୁର୍ନାମେଣ୍ଟ। ୩ ତାରକା ଖଚ୍ଚିତ ଦଳକୁ ନେଇ ଓମାନର ଅଲ ଆମେରାତ କ୍ରିକେଟ ଷ୍ଟାଡିୟମରେ ଏହି ପ୍ରତିଯୋଗିତାର ପ୍ରତ୍ୟେକ ମ୍ୟାଚ୍‌ ଖେଳାଯିବ। ଅନ୍ୟ ଦୁଇ ଦଳ ଏସିଆ ଓ ଅବଶିଷ୍ଟ ବିଶ୍ୱକୁ ପ୍ରତିନିଧିତ୍ୱ କରିବେ।

ବୀରୁ, ଭଜି, ଯୁବିଙ୍କ ବ୍ୟତୀତ ଇର୍ଫାନ ପଠାନ, ୟୁସୁଫ ପଠାନ, ବଦ୍ରିନାଥ, ଆର ପି ସିଂ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମଙ୍ଗ ବଦାନି, ଭେଣୁଗୋପାଲ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ ଭଣ୍ଡାରି ମହାରାଜା ଦଳ ଲାଗି ଖେଳିବେ।

“ସେମାନେ ଅସଲ ରାଜାଙ୍କ ଭଳି ସେମାନେ ଆସିବେ, ଦେଖିବେ ଓ ଜିତିବେ। ଭାରତରୁ ଆସୁଥିବା କ୍ରିକେଟ ମହାରାଜା ଏସିଆ ଓ ଅବଶିଷ୍ଟ ବିଶ୍ୱ ଦଳ ସହ ମୁକାବିଲା କରିବ” ବୋଲି ପୂର୍ବତନ ଭାରତୀୟ କୋଚ୍‌ ତଥା ଲିଗ୍‌ର କମିଶନର ରବି ଶାସ୍ତ୍ରୀ କହିଛନ୍ତି।