ଟିମ୍‌ ଇଣ୍ଡିଆ ସହ ଭେଦଭାବକୁ ନେଇ ବର୍ଷିଲେ ସେହ୍ବାଗ: କହିଲେ‘ ଆତିଥ୍ୟରେ ଭାରତ ଆଗରେ…’

ନୂଆଦିଲ୍ଲୀ,୨୬।୧୦: ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ଟି୨୦ ବିଶ୍ୱକପ୍‌ର ଆଗାମୀ ମ୍ୟାଚ୍‌ ଖେଳିବା ପୂର୍ବରୁ ଏକ ବିବାଦ ଦେଖାଦେଇଛି। ସିଡନୀରେ ଅଭ୍ୟାସ ମ୍ୟାଚ୍‌ ସମୟରେ ଟିମ୍‌ ଇଣ୍ଡିଆକୁ ଅନୁପଯୁକ୍ତ ଖାଦ୍ୟ ଦିଆଯାଇଥିଲା। ଏହାକୁ ନେଇ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଖପ୍ପା ହେବା ସହ ଆଇସିସି ନିକଟରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବିଭିନ୍ନ ମହଲରୁ ଭିନ୍ନଭିନ୍ନ ପ୍ରତିକ୍ରିୟା ଆସୁଥିବା ଦେଖାଯାଇଛି।

ଏହି କ୍ରମରେ ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ଭାରତୀୟ ଟିମ୍‌ ସହ ହୋଇଥିବା ଏଭଳି ବ୍ୟବହାରକୁ ନେଇ ବର୍ଷିଛନ୍ତି। ଟୁଇଟ୍‌ କରି ସେହ୍ବାଗ ଳେଖିଛନ୍ତି, ସେ ଦିନ ଗଲାଣି ଯେବେ ପଶ୍ଚିମ ଦେଶରେ ଭଲ ସୁବିଧା ମିଳୁଥିଲା। ସେମାନେ ଏସବୁ ମାମଲାରେ ଆଗରେ ଥିଲେ। ହେଲେ ଭାରତ ଏବେ ଆତିଥ୍ୟ ମାମଲାରେ ବହୁତ ଆଗରେ। ପଶ୍ଚିମ ଦେଶ ତୁଳନାରେ ଆମର ସୁବିଧା ବହୁତ ଭଲ ବୋଲି ସେ କହିଛନ୍ତି।

କହିରଖୁଛୁ, ମଙ୍ଗଳବାର ସିଡନୀରେ ଭାରତୀୟ ଖେଳାଳି ଅଭ୍ୟାସ ମ୍ୟାଚ ଖେଳିଥିଲେ। ସେଠାରେ ତାଙ୍କୁ କେବଳ ଥଣ୍ଡା ସ୍ୟାଣ୍ଡଓ୍ବିଚ୍‌, ସାଲାଡ୍‌ ଏବଂ ଅନ୍ୟ କିଛି ସାମଗ୍ରୀ ମିଳିଥିଲା। ହେଲେ ଦୁଇ ଘଣ୍ଟା ଅଭ୍ୟାସ ପରେ ସମ୍ପୂର୍ଣ୍ଣ ମିଲ୍‌ ଦିଆଯିବ ବୋଲି ଭାରତୀୟ ଟିମ୍‌ ଭାବିଥିଲେ।