ପ୍ରତିବଦ୍ଧତା ଓ ସମର୍ଥନ ଲୋଡ଼ା

ଚଳିତ ମାସରେ ତୁର୍କୀରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହାପରେ ଅକ୍ଟୋବର ସୁଦ୍ଧା ପୋଲାଣ୍ଡରେ ସଂସଦୀୟ ନିର୍ବାଚନ ହେବ। ଏହି ଦୁଇ ନିର୍ବାଚନ ୨୦୨୦ରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜୋ ବାଇଡେନଙ୍କ ବିଜୟ ଏବଂ ବ୍ରାଜିଲରେ ଜେର୍‌ ବୋଲସୋନାରୋଙ୍କ ବିରୋଧରେ ଲୁଇଜ ଇନାସିଓ ଲୁଲା ଡି ସିଲ୍‌ଭାଙ୍କ ବିଜୟର ଧାରାକୁ ଏହା ବଜାୟ ରଖିପାରେ। ଉଭୟ ନିର୍ବାଚନ ପପୁଲିଷ୍ଟ ଅଥୋରିଟାରିଆନ ବା ସାଧାରଣ ଲୋକଙ୍କୁ ନିଜ ମତ ଓ ବିଚାରଧାରା ପ୍ରଭାବିତ କରୁଥିବା ଏକଚ୍ଛତ୍ରବାଦୀମାନଙ୍କ ବିରୋଧରେ ଏକ ହାଓ୍ବା ଫେରୁଛି ବୋଲି ଦୃଢ ଧାରଣା ସୃଷ୍ଟି କରିଥିଲା । ଗଣତାନ୍ତ୍ରିକ ଶକ୍ତିଗୁଡ଼ିକ ପାଇଁ ନିର୍ବାଚନୀ ସଫଳତା ହିଁ ଏକମାତ୍ର ତଥା ପ୍ରାରମ୍ଭିକ ପଦକ୍ଷେପ। ତେବେ ଯେତେବେଳେ ଏକ ଏକଚ୍ଛତ୍ରବାଦୀ ସରକାର ତା’ କ୍ଷମତା ହରାଏ କିମ୍ବା ଅସ୍ଥିର ହୋଇଯାଏ ତା’ ପରେ ସଂସ୍ଥାଗତ ପୁନର୍ଗଠନ ପାଇଁ କଠିନ ପରିଶ୍ରମ ଆରମ୍ଭ ହୋଇଯାଏ। କିନ୍ତୁ ଏବେ ପ୍ରମୁଖ ରାଜନୈତିକ ଶକ୍ତିଗୁଡ଼ିକ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ବ୍ୟବସ୍ଥାର ମୌଳିକତାକୁ ଗ୍ରହଣ କରିବାକୁ ନାରାଜ ଥିବାବେଳେ ସ୍ବଚ୍ଛ ଗଣତନ୍ତ୍ର ଲାଗି ଯେଉଁସବୁ ନେତୃତ୍ୱ ନିଆଯାଉଛି ତାହାର ସଫଳତା କିଭଳି ସମ୍ଭବ ହେବ। ବିଂଶ ଶତାବ୍ଦୀର ଶେଷାର୍ଦ୍ଧର ଗଣତନ୍ତ୍ରୀକରଣର ତୃତୀୟ ଲହର ଥିଲା ପ୍ରାୟତଃ ସମ୍ପୂର୍ଣ୍ଣ ନିଆରା, ଯାହାକୁ ଆମେ ସହଯୋଗଭିତ୍ତିକ ପରିବର୍ତ୍ତନ କହିପାରିବା। ଶାସନ ପତନ ହେବା ପଛରେ ଥିବା ରାଜନୈତିକ ଶକ୍ତିଗୁଡ଼ିକ ଏହି ପରିବର୍ତ୍ତନ ସହ ବୁଝାମଣା କରିଥିଲେ କିମ୍ବା କ୍ଷମତାରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ ବି ସେମାନେ ବିନା ବିରୋଧରେ ମାନିନେବାକୁ ସହମତ ହୋଇଥିଲେ ଏବଂ ବେଳେବେଳେ ଏକନୂଆ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମର୍ଥନ କରିବାକୁ ଆଗକୁ ଆସିଥିଲେ। ଉଦାହରଣସ୍ବରୂପ, ପୋଲାଣ୍ଡରେ ପୋଲିଶ୍‌ ପିପୁଲ୍ସ ରିପବ୍ଲିକର ନେତା ଜେନେରାଲ ଓଜସିକ ଜରୁଜେଲସ୍କି ସଲିଡାରିଟି ମୁଭ୍‌ମେଣ୍ଟ ସହ ଚୁକ୍ତି କରି ୧୯୮୯ରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ । ଚିଲିରେ ମଧ୍ୟ ଜେନେରାଲ ଅଗଷ୍ଟୋ ପିନୋକେଟ ୧୯୯୦ରେ ପଦ ହରାଇବା ପରେ ସିନେଟରେ ଏକ ଆଜୀବନ ସଦସ୍ୟ ରହିଥିଲେ। ଦଶନ୍ଧିର ମଧ୍ୟଭାଗ ସୁଦ୍ଧା ପୂର୍ବତନ କମ୍ୟୁନିଷ୍ଟ ବ୍ୟକ୍ତିତ୍ୱଗଣ କେନ୍ଦ୍ରୀୟ ୟୁରୋପର ଦେଶଗୁଡ଼ିକରେ ସଂଘଠିତ ମୁକ୍ତ ଓ ଅବାଧ ନିର୍ବାଚନରେ ଜିତୁଥିଲେ ଏବଂ ହାରିବାର ପରିଣାମକୁ ଗ୍ରହଣ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟ ଯେ, ଟ୍ରମ୍ପ ଏବଂ ବୋଲସୋନାରୋଙ୍କ ଭଳି ଏକଚ୍ଛତ୍ରବାଦୀ ନେତାମାନେ ଏକ ସମ୍ପୂର୍ଣ୍ଣ ଅଲଗା, ଅଣ ସହଯୋଗଭିତ୍ତିକ ଢାଞ୍ଚାକୁ ସମର୍ଥନ କରିଥିଲେ। ଉଭୟ କ୍ଷମତାରୁ ବାହାରିଯାଇଥିଲାବେଳେ ସେମାନେ କିମ୍ବା ସେମାନଙ୍କ ସମର୍ଥକମାନେ ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବା ଲକ୍ଷ୍ୟରୁ ଓହରି ପାରିନାହାନ୍ତି। ଟ୍ରମ୍ପଙ୍କ ନିର୍ବାଚନ ପରାଜୟର ପାଖାପାଖି ୩ ବର୍ଷ ପରେ ତାଙ୍କ ସମର୍ଥକମାନେ ବି କହୁଛନ୍ତି ଯେ ନିର୍ବାଚନରେ ଅନିୟମିତତା ହୋଇଥିଲା। ଟ୍ରମ୍ପ ମଧ୍ୟ ଆସନ୍ତା ବର୍ଷ ପୁଣି ବାଇଡେନଙ୍କ ସହ ଏକ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଆମେରିକାର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକରୁ ପୈଶାଚିକ ଶକ୍ତିମାନଙ୍କୁ ହଟାଇବାକୁ ଶପଥ ନେଇଛନ୍ତି। ଏହା ସହ ଗତ ମାସରେ ଟେକ୍ସାସର ଓ୍ବାକୋରେ ଆୟୋଜିତ ରାଲିରେ କହିଥିଲେ ଯେ, ସେନା, ପୋଲିସ କିମ୍ବା ରାଜନୈତିକ ଗୋଷ୍ଠୀଙ୍କ ଗୁପ୍ତ କାର୍ଯ୍ୟ ଆମେରିକାକୁ ନଷ୍ଟ କରିଦେବ କିମ୍ବା ଆମେ ସେଭଳି ବ୍ୟବସ୍ଥାକୁ ନଷ୍ଟ କରିଦେବା।
କେବଳ ଆମେରିକା ନୁହେଁ, ପୋଲାଣ୍ଡର ଶାସକ ଲ ଆଣ୍ଡ୍‌ ଜଷ୍ଟିସ ପାର୍ଟି (ପିଆଇଏସ୍‌) ଏବଂ ଉଦାରବାଦୀ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ୨୦୦୭ ପରଠାରୁ ତୃତୀୟ ଲଢେଇ ହେବାକୁ ଯାଉଛି। ପ୍ରଥମ ଲଢେଇରେ ବିରୋଧୀମାନେ ବିଜୟୀ ହୋଇଥିଲେ। ପିଆଇଏସ୍‌ ସରକାରରେ ଆଭ୍ୟନ୍ତରୀଣ ଲଢେଇ ଯୋଗୁ ତାହାର ପତନ ଘଟିଥିଲା। ତେବେ ବିଜୟୀ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ ଡୋନାଲ୍ଡ ଟସ୍କ, କିନ୍ତୁ ପରେ ପିଆଇଏସ୍‌ର ଭୁଲ୍‌କାମର ପ୍ରତିଶୋଧ ନେବାରେ ଦ୍ୱନ୍ଦ୍ୱମୟ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ତାଙ୍କ ନିକଟରେ ଦୁଇଟି ବିକଳ୍ପ ଥିଲା-ପିଆଇଏସ୍‌ର ଦୁର୍ନୀତିଗ୍ରସ୍ତ ନ୍ୟାୟ ମନ୍ତ୍ରୀ ଜିବିଗ୍‌ନ୍ୟୁ ଜିଓବ୍ରୋଙ୍କ, ଦ୍ୱାରା କ୍ଷମତାର ଦୁରୁପଯୋଗ କରିବା ତଥ୍ୟ ସାମ୍‌ନାକୁ ଆଣିବା କିମ୍ବା ବିକଳ୍ପ ଭାବେ ରାଜନୈତିକ ସମନ୍ବୟ ହିତରେ ଏକ କୋହାଳ ଦୃଷ୍ଟିକୋଣ ଆପଣାଇବା। ଏହି ଦୁଇଟି ମଧ୍ୟରୁ କିନ୍ତୁ ଟସ୍କ ପ୍ରଶାସନ କୋହଳ ଦୃଷ୍ଟିକୋଣକୁ ପସନ୍ଦ କରିବାରୁ ପିଆଇଏସ୍‌ ନେତାମାନଙ୍କୁ କେବେ ବି ଦାୟୀ କରାଯାଇପାରି ନ ଥିଲା। ଫଳରେ ଏହି ପିଆଇଏସ୍‌ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ କ୍ଷତିକାରକ ତଥା ଦୃଢ ଅଭିଯାନ ଚଳାଇବାରେ ଲାଗିଗଲା। ଟ୍ରମ୍ପଙ୍କ ବିଗ୍‌ ଲାଏ ଅଭିଯାନ ଭଳି ପିଆଇଏସ୍‌ ମଧ୍ୟ ତା ସମର୍ଥକଙ୍କୁ ପ୍ରେରିତ କଲା। କିନ୍ତୁ ଏହା ନିର୍ବାଚନ ଅନିୟମିତତା ସମ୍ପର୍କରେ ନ ଥିଲା, ବରଂ ପିଆଇଏସ ଦାବି କରିଥିଲା ଯେ, ୨୦୧୦ରେ ପୂର୍ବତନ ପିଆଇଏସ ନେତାଙ୍କ ଯେଉଁ ବିମାନ ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା ତାହା ଦୁର୍ଘଟଣା ନ ଥିଲା, ବରଂ ତାହା ଥିଲା ଏକ ହତ୍ୟା, ଯାହା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ଟସ୍କଙ୍କ ଦ୍ୱାରା କରାଯାଇଥିଲା।
ପିଆଇଏସ୍‌ ‘ବିଗ ଲାଏ୍‌’ର ସମ୍ପୂର୍ଣ୍ଣ ବିଷୟ ଟ୍ରମ୍ପଙ୍କ ଭଳି ଲଗାତର ପରିବର୍ତ୍ତନ ହେବାରେ ଲାଗିଲା। ବିମାନ ଦୁର୍ଘଟଣା ସମ୍ପର୍କିତ କାହାଣୀକୁ ବାରମ୍ବାର ହୋହରାଇବାର ଳକ୍ଷ୍ୟ ଥିଲା ଉଦାରବାଦ ବିରୋଧୀ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକର ବୈଧତାକୁ ହ୍ରାସ କରିବା। ଶେଷରେ ତା’ ଯୋଜନା କାମ କଲା। ବିମାନ ଦୁର୍ଘଟଣାର ରହସ୍ୟମୟ କାହାଣୀ ନିର୍ବାଚନର ପ୍ରମୁଖ ବିଷୟ ହୋଇଗଲା ଯାହା ପିଆଇଏସ୍‌କୁ ୨୦୧୫ରେ ପୁନର୍ବାର କ୍ଷମତାକୁ ଆଣିଲା। କ୍ଷମତାର ପ୍ରଥମ ପାଳିର ଉତ୍ତରଦାୟିତ୍ୱହୀନତା ପାଇଁ ଜିଓବ୍ରୋଙ୍କ କୌଣସି ବାଧାର ସମ୍ମୁଖୀନ ହେବାକୁ ବି ପଡ଼ିଲା ନାହିଁ ଏବଂ ପିଆଇଏସ୍‌ ପୁନର୍ବାର ତାଙ୍କୁ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତ କଲା।
ତେବେ ଅକ୍ଟୋବରରେ ହେବାକୁ ଥିବା ନିର୍ବାଚନରେ ଯଦି ବିରୋଧୀ ଜିତନ୍ତି ତେବେ ଟସ୍କ ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପିଆଇଏସ୍‌ ୫୦୦ ପ୍ଲସ ପ୍ରୋଗ୍ରାମ ( ପିଲାଙ୍କ ଅଭିଭାବକଙ୍କୁ ଆର୍ଥିକ ସହଯୋଗ ଯୋଗାଇବା) ଘୋଷଣା କରିଛନ୍ତି। । ଜନତାଙ୍କୁ ଧୋକା ଦେଇଥିବା ପୋଲାଣ୍ଡର ରାଜନୀତିକୁ ଶୁଦ୍ଧ କରିବା ଲାଗି ଟସ୍କଙ୍କ ସେଲ ପ୍ଲସ୍‌ ପ୍ରୋଗ୍ରାମର ପ୍ରତିଶ୍ରୁତି ଦେଇଛନ୍ତି। ଟସ୍କ କାହିଁକି ଏଭଳି ଏକ ଦୃଷ୍ଟିକୋଣକୁ ଉପସ୍ଥାପନ କଲେ ତାହା ବୁଝିବା ସହଜ। କିନ୍ତୁ ୟୁନିଭର୍ସିଟି ଅଫ୍‌ ସିକାଗୋର ମୋନିକା ନାଲେପା ଏବଂ ଅନ୍ୟମାନେ ସତର୍କ କରିଦେଇଛନ୍ତି ଯେ, ପୂର୍ବତନ ଏକଚ୍ଛତ୍ରବାଦୀ ବରିଷ୍ଠ ସଦସ୍ୟମାନଙ୍କୁ ରାଜନୀତିରୁ ସଫା କରିବା ପ୍ରତିଶ୍ରୁତି ସାମାଜିକ ସ୍ତରରେ ବିଭାଜନ ବଢ଼ାଇପାରେ ଏବଂ ପ୍ରତିଶୋଧ ମନୋଭାବକୁ ନେଇ ବିପଦ ଓ ଗମ୍ଭୀର ସ୍ଥିତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଟସ୍କ ଗତ ଥର କୋହଳ ଭାବ ଗ୍ରହଣ କରିବା ଠିକ ଥିଲା। କାରଣ ଅଣ ସହଯୋଗୀ ପରିବର୍ତ୍ତନସବୁ ଗଣତନ୍ତ୍ର ପାଇଁ କୌଣସି ବିକଳ୍ପ ଛାଡେନାହିଁ। ଏଣୁ ଏକ ବିକଳ୍ପ ବାଟ ଦରକାର। ପୋଲାଣ୍ଡରେ ପ୍ରଗତିଶୀଳ ଓ ରୂଢିବାଦୀ ଶକ୍ତିଗୁଡ଼ିକ ମଧ୍ୟରେ କ୍ଷମତା ବଣ୍ଟନ ସିଦ୍ଧାନ୍ତକୁ ଆଧାର କରି ଏକ ଗଭୀର ରାଜନୈତିକ ସୁଧାରକୁ ଆମେ ସମର୍ଥନ କରୁଛୁ। ସବୁ ରାଜନୈତିକ କ୍ଷେତ୍ରରୁ ପୋଲାଣ୍ଡର ୧୦୦ ରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀଙ୍କୁ ନେଇ ଏକ ପକ୍ଷପାତବିହିନ ଅଭିଯାନ ଆରମ୍ଭ କରାଯାଇଛି। ଏହାକୁ ମାର୍ଗଦର୍ଶନ କରିବା ଲାଗି ସବିଶେଷ ପ୍ରସ୍ତାବ ବି ପ୍ରକାଶ କରାଯାଇଛି। ପ୍ରଗତିଶୀଳ ଶକ୍ତିଗୁଡ଼ିକୁ ସବୁ କିଛି ଦେଇଦେବାରୁ ଦୂରେଇ ରହି ଏହି ପ୍ରସ୍ତାବ ଏବେ ରୂଢିବାଦୀଙ୍କ ସମେତ ସମସ୍ତଙ୍କୁ ପୋଲାଣ୍ଡ ଭବିଷ୍ୟତର ଅଂଶୀଦାର ହେବାକୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ପିଆଇଏସ ଏବଂ ଗଣତାନ୍ତ୍ରିକ ବିରୋଧୀ ଏହାକୁ କିିଭଳି ଗ୍ରହଣ କରିବେ ତାହା ହେଖିବାକୁ ବାକି ରହିଛି। ସବୁଠି ପ୍ରଗତିଶୀଳ ପଦକ୍ଷେପ ବା ଅଭିଯାନ ଗଣତାନ୍ତ୍ରିକ ଅଧୋଗତିକୁ ରୋକିବାରେ ସଫଳ ହେବ। କିନ୍ତୁ ଦୀର୍ଘମିଆଦୀ କ୍ଷେତ୍ରରେ ଦୃଢ ଗଣତନ୍ତ୍ରଗୁଡ଼ିକ ପାଇଁ ସବୁବେଳେ ଦରକାର ପତିବଦ୍ଧତା, ଭୋଟର ଏବଂ ସବୁ ରାଜନୈତିକ ସ୍ତରରେ ଦଳଗୁଡ଼ିକର ଅତ୍ୟଧିକ ସମର୍ଥନ।