ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର ଶୋପିଆନ୍‌ ଜିଲାର ୫୫ ବର୍ଷୀୟ ଅହମଦ ଶେଖ୍‌ ବୋଲି ପୋଲିସ କହିଛି।

ଅହମଦ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ରାମମନ୍ଦିରରେ ପ୍ରବେଶ କରିଥିଲେ। ସେ ରାମଲାଲାଙ୍କୁ ଦର୍ଶନ କରିବା ପରେ ସୀତା ରସୋଇ ଅଞ୍ଚଳ ନିକଟରେ ବସି ନମାଜ ପାଠ ପାଇଁ ପ୍ରସ୍ତୁତି ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି।

ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀ ତାଙ୍କର ଏଭଳି କାର୍ଯ୍ୟକୁ ଦେଖିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ମନ୍ଦିର ସୁରକ୍ଷା କର୍ମଚାରୀ ତାଙ୍କୁ ଅଟକ ରଖିବା ପରେ ପଚରାଉଚରା ପାଇଁ ପୋଲିସକୁ ହସ୍ତାନ୍ତର କରିଥିଲା।

ତାଙ୍କୁ ନମାଜ ପାଠ କରିବାରୁ ଅଟକାଯିବାରୁ ସେ ସ୍ଲୋଗାନ ଦେଇଥିଲେ। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବା ପାଇଁ ତଦନ୍ତକାରୀ ଅଫିସର ଏବଂ ଗୋଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କୁ ଜେରା କରୁଛନ୍ତି। ସେ କାହିଁକି ଅଯୋଧ୍ୟା ଆସିଥିଲେ ଏବଂ ଅନ୍ୟ କେହି ଏହି ଘଟଣା ସହ ସମ୍ପୃକ୍ତ କି ନୁହନ୍ତି, ତାହାର ତଦନ୍ତ କରାଯାଉଛି।

Share