SOUTHAMPTON, ENGLAND - JULY 06: Jos Buttler of England takes part in a wicketkeeping drill during a nets session at Ageas Bowl on July 06, 2020 in Southampton, England. (Photo by Stu Forster/Getty Images for ECB)
ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ତେବେ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଘରୋଇ ଇଂଲଣ୍ଡ। ଦ୍ୱିତୀୟ ସନ୍ତାନର ଜନକ ହୋଇଥିବା ଅଧିନାୟକ ଜୋ ରୁଟ୍ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ। ସେ ଦ୍ୱିତୀୟ ଟେଷ୍ଟରେ ଖେଳିବେ। ତେଣୁ ଜୋ ଡେନ୍ଲି ବାଦ୍ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ଡେନ୍ଲି ସୁଯୋଗର ସଦ୍ବ୍ୟବହାର କରିପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ବିଫଳ ହେବାଯୋଗୁ ସମାଲୋଚିତ ହୋଇଥିବା ଉଇକେଟ କିପର ଜୋସ୍ ବଟଲର ଆଉ ଏକ ସୁଯୋଗ ପାଇପାରନ୍ତି। କାରଣ ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ସେ ଦଳରେ ଅଧିକ ପରିବର୍ତ୍ତନ ଚାହୁଁନାହାନ୍ତି। ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଡେନ୍ଲି ଇତିମଧ୍ୟରେ ୧୫ଟି ଟେଷ୍ଟ ଖେଳିଛନ୍ତି। ମାତ୍ର ଏବେ ତାଙ୍କ ଆଭରେଜ ୩୦ ତଳକୁ ଖସି ଆସିଛି। ଅନ୍ୟପକ୍ଷରେ ତାଙ୍କଠାରୁ ୧୨ ବର୍ଷ ସାନ କେଣ୍ଟ ଟିମ୍-ମେଟ୍ ଜ୍ୟାକ କ୍ରାଓଲେ ଦ୍ୱିତୀୟ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୭୬ ରନ ସ୍କୋର କରି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି।
ରୁଟ୍ଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଇଥିବା ବଟଲର ଦୁଇ ଇନିଂସରେ ଯଥାକ୍ରମେ ୩୫ ଓ ୯ ରନ କରିଥିଲେ। ଏକଦିବସୀୟରେ ସେ ଯେପରି ଖେଳୁଛନ୍ତି ତାହାକୁ ଟେଷ୍ଟରେ ରୂପାନ୍ତରିତ କରିପାରୁ ନାହାନ୍ତି। ସେ ଦିନିକିଆରେ ୧୪୨ ମ୍ୟାଚରେ ୪୦.୮୮ ଆଭରେଜ ରଖିଥିବାବେଳେ ଟେଷ୍ଟରେ ୪୨ ମ୍ୟାଚରେ ତାଙ୍କର ଆଭରେଜ ମାତ୍ର ୩୧.୪୬। ଫଳରେ ଚଳିତ ମାସ ଶେଷ ଭାଗରେ ଆୟର୍ଲାଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ପାଇଁ ଉଇକେଟ କିପର ଭାବେ ଜନି ବେୟାରଷ୍ଟୋଙ୍କୁ ଚୟନ କରାଯାଇଛି। ମାତ୍ର ଦ୍ୱିତୀୟ ଟେଷ୍ଟରେ ବଟଲରଙ୍କୁ ଆଉ ଏକ ସୁଯୋଗ ଦିଆଯିବା ସପକ୍ଷରେ ରହିଛନ୍ତି କୋଚ୍ ସିଲଭରଉଡ୍। ପ୍ରଥମ ଟେଷ୍ଟରେ ପରାଜୟ ସତ୍ତ୍ୱେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିବା ଦୃଷ୍ଟାନ୍ତ ରହିଛି। ତେଣୁ ସେହି ସ୍ପିରିଟ୍ ଏଠାରେ ଦେଖିବାକୁ ମିଳିବ ବୋଲି ସିଲଭରଉଡ୍ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଲଢ଼ୁଆ ପ୍ରଦର୍ଶନ ଜାରିରଖି ଦ୍ୱିତୀୟ ଟେଷ୍ଟ ସହ ସିରିଜ ବିଜୟ ଲକ୍ଷ୍ୟରେ ରହିଛି।