Categories: Home Leftଖେଳ

ଦ୍ୱିତୀୟ ଟି୨୦: ଅନ୍ତିମ ବଲରେ ଚୌକା ମାରି ଓ୍ବେଷ୍ଟଇଣ୍ଡିଜ୍‌କୁ ଜିତାଇଲେ ହୋଲ୍ଡର

ଫ୍ଲୋରିଡା,୩ା୮: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୪ ଉଇକେଟ ନେବା ସହ ଅନ୍ତିମ ବଲରେ ଚୌକା ମାରି ଜାସନ ହୋଲ୍ଡର ଓ୍ବେଷ୍ଟଇଣ୍ଡିଜ୍‌କୁ ଜିତାଇଛନ୍ତି। ପାକିସ୍ତାନର ୧୩୪ ରନର ଟାର୍ଗେଟକୁ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ ହରାଇ ଅନ୍ତିମ ବଲରେ ହାସଲ କରି ନେଇଥିଲା। ଟି୨୦ ଫର୍ମାଟରେ ଲଗାତର ୬ ପରାଜୟ ପରେ ଏହା ଓ୍ବେଷ୍ଟଇଣ୍ଡିଜ୍‌ ଲାଗି ପ୍ରଥମ ବିଜୟ। ଏହି ବିଜୟ ଯୋଗୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଏବେ ୧-୧ରେ ବରାବର ରହିଛି। ଅଲରାଉଣ୍ଡ ପ୍ରଦର୍ଶନ ଲାଗି ହୋଲ୍ଡରଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ସୋମବାର ସମାନ ଭେନ୍ୟୁରେ ଖେଳାଯିବ।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୯ ଉଇକେଟରେ ୧୩୩ ରନ କରିଥିଲା। ଦଳ ପାଇଁ ହାସନ ନଓ୍ବାଜ ୪୦ (୧ ଚୌକା ଓ ୪ ଛକା), ଅଧିନାୟକ ସଲମାନ ଆଘା ୩୮ (୩ ଚୌକା ଓ ୧ ଛକା) ଓ ଫଖର ଜାମନ ୨୦ (୨ ଚୌକା) ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହୋଲ୍ଡର ୪ ଓ ଗୁଦାକେଶ ମୋତି ୨ ଉଇକେଟ ନେଇଥିଲେ।

ଜବାବରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ ଓଭର ଶେଷ ସୁଦ୍ଧା ୭ ଉଇକେଟ ହରାଇ ୧୨୬ ରନ୍‌ କରିଥିଲା। ଅନ୍ତିମ ଓଭର ପାକିସ୍ତାନ ପାଇଁ ବୋଲିଂ କରିଥିବା ସାହିନ ଶାହା ଆଫ୍ରିଦୀ ପ୍ରଥମ ୫ ବଲରେ ରୋମାରିଓ ଶେଫର୍ଡଙ୍କ ଉଇକେଟ ନେବା ସହ ୫ ରନ ଦେଇଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଜିତିବା ପାଇଁ ଅନ୍ତିମ ବଲରେ ୩ ରନ ଦରକାର କରୁଥିବା ବେଳେ ହୋଲ୍ଡର ଫାଇନ ଲେଗ୍‌ ଅଞ୍ଚଳରେ ଚୌକା ମାରିଥିଲେ। ଦଳ ଲାଗି ହୋଲ୍ଡର ୧୦ ବଲରେ ୧୬ (୧ ଚୌକା ଓ ୧ ଛକା) ରନ କରି ଅପରାଜିତ ରହିଥିବା ବେଳେ ମୋତି ୨୮ (୧ ଚୌକା ଓ ୨ ଛକା) ଓ ଅଧିନାୟକ ଶାଇ ହୋପ୍‌ ୨୧ (୨ ଚୌକା) ରନ କରି ଆଉଟ୍‌ ହୋଇଥିଲେ। ପାକିସ୍ତାନ ପାଇଁ ନଓ୍ବାଜ ୩ ଓ ସ୍ୟାମ ଆୟୁବ ୨ ଉଇକେଟ ନେଇଥିଲେ।