ନୂଆଦିଲ୍ଲୀ,୧୨ା୧୦: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୭ ରହିଥିବା ବେଳେ ମହାମେଣ୍ଟରେ ଆସନ ବୁଝାମଣା ଅଙ୍କ ଛିଡ଼ୁନାହିଁ। ଆର୍ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ, ସ୍ତ୍ରୀ ରାବ୍ରୀ ଦେବୀ ଏବଂ ତାଙ୍କ ପୁଅ ତଥା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ରବିବାର ଦିଲ୍ଲୀ ଯାଇଥିବାରୁ ଆସନ ବୁଝାମଣା ଆହୁରି ବିଳମ୍ବିତ ହୋଇପାରେ ବୋଲି କୁହାଯାଉଛି।
ଆସନ ବଣ୍ଟନ ଏବଂ ପ୍ରାର୍ଥୀ ଚୟନର ଚୂଡ଼ାନ୍ତ ନିଷ୍ପତ୍ତି ଆର୍ଜେଡି ଲାଲୁଙ୍କ ଉପରେ ଛାଡ଼ିଥିବାବେଳେ ସହଯୋଗୀ ଦଳଗୁଡ଼ିକ ଅଧିକ ଆସନରେ ଲଢ଼ିବାକୁ ଚାହୁଁଥିବାରୁ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇପାରୁ ନାହିଁ। ବିମାନବନ୍ଦରରେ ଲାଲୁ ଓ ରାବ୍ରୀ ଖବରଦାତାମାନଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବାବେଳେ ସବୁକିଛି ଠିକ୍ ଚାଲିଥିବା ତେଜସ୍ବୀ କହିଥିଲେ।