ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଜିଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ସୁନାବେଡା ଏସଡିପିଓ ସୁମିତ୍ରା ଜେନା ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୫ ଜୁନ ୫ ତାରିଖ ସ୍ଥାନୀୟ ବ୍ଲକ ଅଧୀନସ୍ଥ ପେଟୁରୁ ପଞ୍ଚାୟତ ପାଇଁ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀ ଜଗା ଖିଲ ମାଓବାଦୀଙ୍କ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ। ଯାହାଫଳରେ ପୋଲିସ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ମନେ ପକାଇ ତାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର ସୁନାବେଡା ଏସଡିପିଓ ଜେନା , ପଟ୍ଟାଙ୍ଗି ଆଇଆଇସି ପ୍ରଭାତ ବେହେରା , ସେମିଳିଗୁଡା ଆଇଆଇସି ଅନିତା ଖୁଜୁର୍‌ , ସୁନାବେଡା ସୁଷମା କହଁର ପ୍ରମୁଖଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ସ୍ବର୍ଗତ ଗ୍ରାମରକ୍ଷୀ ଖିଲଙ୍କ ଘରେ ପହଞ୍ଚି ପରିବାର ବର୍ଗଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରି ତାଙ୍କର ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏହିପରି କି ସ୍ବର୍ଗତ ଗ୍ରାମରକ୍ଷୀ ଖିଲଙ୍କ ସାନ ଝିଅ ରିସିତା ଖିଲ ଆର୍ଥିକ ବ୍ୟବସ୍ଥା ଦୁର୍ବଳ ରହିଥିବାରୁ ଯୁକ୍ତ ଦୁଇ ପାଠପଢି ଘରେ ରହି ଯାଇଥିବାରୁ ଯୁକ୍ତ ତିନି ପଢିବା ନିମନ୍ତେ ସମସ୍ୟା ଥିବା ନେଇ ଉପସ୍ଥିତ ପୋଲିସ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା । ଯେଉଁଥିରେ କି ଏସଡିପିଓ ଜେନା ଉକ୍ତ ସମସ୍ୟା ସମ୍ପର୍କରେ ସ୍ଥାନୀୟ କଲେଜ ସହ ଯୋଗାଯୋଗ କରି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ମା’ ଦଇମତୀ ଖିଲ ଜଣେ ବୟସ୍କ ହୋଇଥିବାରୁ ତାଙ୍କର ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

Dharitri – Odisha’s No.1 Odia Daily

Share