ଓ୍ବାଶିଂଟନ୍,୧୪ା୮: ଦକ୍ଷିଣ ଚାଇନା ସାଗର(ଏସ୍ସିଏସ୍)ରେ ଆଧିପତ୍ୟ ବିସ୍ତାର କରିଆସିଥିବା ଚାଇନା ପୁଣିଥରେ ଏହି ସାମୁଦ୍ରିକ ଜଳରାଶି ଉପରେ ଆମେରିକୀୟ ନୌସେନା ସହ ମୁହାଁମୁହିଁ ହୋଇଛି। ଚାଇନା ନୌସେନା ପକ୍ଷରୁ ବୁଧବାର କୁହାଯାଇଛି ଯେ, ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ଏସ୍ସିଏସ୍ରେ ଥିବା ଚାଇନାର ଜଳକ୍ଷେତ୍ରକୁ ଚାଲିଆସିଥିଲା। ଏହାକୁ ଚାଇନା ନୌସେନା ଘଉଡ଼ାଇଦେଇଛି। ଅନ୍ୟପକ୍ଷେ ଆମେରିକା ନିଜ ଅପରେଶନ୍କୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବୈଧ ବୋଲି ଦର୍ଶାଇଛି।
ପିପୁଲ୍ସ ଲିବରେଶନ୍ ଆର୍ମି (ପିଏଲ୍ଏ)ର ସର୍ଦ୍ଦର୍ନ ଥିଏଟର କମାଣ୍ଡ ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏସ୍ସିଏସ୍ର ରଣନୈତିକ କ୍ଷେତ୍ର ସ୍କାରବୋରୋ ଶୋଲ୍କୁ ଆମେରିକାର ଏକ ଯୁଦ୍ଧଜାହାଜ ବିନା ଅନୁମତିରେ ବେଆଇନ ଭାବେ ଅନୁପ୍ରବେଶ କରି ଆସିଥିଲା। ଚାଇନା ନ୍ୟାଭି ଆମେରିକା ନୌସେନାର ଡେଷ୍ଟ୍ରୟର ୟୁଏସ୍ଏସ୍ ହିଗିନ୍ସର ଗତିବିଧି ଟ୍ରାକ୍ କରିବା ସହ ଏହାକୁ ଘଉଡ଼ାଇଦେଇଛି। ଆମେରିକା ସେନାର କାର୍ଯ୍ୟ ଚାଇନାର ସାର୍ବଭୌମତ୍ୱ ଓ ସୁରକ୍ଷା ପ୍ରତି ଗମ୍ଭୀର ହସ୍ତକ୍ଷେପ, ଯାହାକି ଦକ୍ଷିଣ ଚାଇନା ସାଗରରେ ଶାନ୍ତି ଓ ସ୍ଥିରତାକୁ ନୂ୍ୟନ କରିଦେଉଛି ବୋଲି ଏଥିରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷେ ଚାଇନାର ଏଭଳି ଅଭିଯୋଗକୁ ଆମେରିକା ନୌସେନା ଖଣ୍ଡନ କରିଛି। ଏହି ଅପରେଶନ୍ ଏକ ଆଇନଗତ ଅଧିକାର। ଉକ୍ତ ମିଶନ୍ର ଲକ୍ଷ୍ୟ ହେଉଛି ବିସ୍ତାରବାଦୀ ଚାଇନା ତାଇଓ୍ବାନ୍ ଉଦ୍ଦେଶ୍ୟରେ ଲଗାଉଥିବା କଟକଣାଗୁଡ଼ିକୁ ହଟାଇବା। ହିଗିନ୍ସ ଏବେ ମଧ୍ୟ ନିଜ ଅପରେଶନ୍ରେ ନିୟୋଜିତ ରହିଛି। ଏହି ମିଶନ୍ ସମ୍ପର୍କରେ ଚାଇନାର ଦାବି ସମ୍ପୂର୍ଣ୍ଣ ମିଛ ବୋଲି ୟୁଏସ୍ ସେଭେନ୍ଥ ଫ୍ଲିଟ୍ ମୁଖପାତ୍ର ଲ୍ୟୁଟ୍ନାଣ୍ଟ ସାରାହ ମେରିଲ୍ଲ ବ୍ଲୁମ୍ବର୍ଗକୁ ଏକ ଇ-ମେଲ୍ ଯୋଗେ ଜଣାଇଛନ୍ତି। ଚାଇନା ଯାହା କହିଲେ ବି ଆମକୁ ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଟାରିଫ୍କୁ ନେଇ ଆମେରିକା ଓ ଚାଇନା ମଧ୍ୟେରେ ଉତ୍ତେଜନା ବଢ଼ିଥିବାବେଳେ ଏ ହି ଘଟଣା ବିଶ୍ୱର ଦୁଇ ବୃହତ୍ ଅର୍ଥନୀତିର ସମ୍ପର୍କରେ ଆହୁରି ତିକ୍ତତା ଭରିଦେଇଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଚାଇନା ସାଗର ଦୀର୍ଘବର୍ଷ ଧରି ଚାଇନା ଓ ଆମେରିକା ମଧ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଆସିଛି। ୨୦୧୬ରେ ନେଦରଲାଣ୍ଡ୍ସସ୍ଥିତ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍ ଅଦାଲତ ଦେଇଥିବା ରାୟକୁ ଚାଇନା ଅମାନ୍ୟ କରି ଏସ୍ସିଏସ୍ ଉପରେ ନିଜ ଆଧିପତ୍ୟ ଜାହିର କରିଥାଏ। ଏହାର ବିସ୍ତୃତ ଜଳରାଶି ଉପରେ ଚାଇନାର କ୍ଷେତ୍ରିୟ ଦାବି ସହ ପଡ଼ୋଶୀ ଦେଶ ଜାହାଜଗୁଡ଼ିକର ଗତିବିଧି ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇଥାଏ। ସ୍କାରବୋରୋ ଶୋଲ୍ରେ ମଙ୍ଗଳବାର ଦୁଇଟି ଚାଇନା ଜାହାଜ ମଧ୍ୟରୁ ଗୋଟିଏ ସହ ଫିଲିପାଇନ୍ସ କୋଷ୍ଟ୍ ଗାର୍ଡର ଏକ ଜାହାଜ ଧକ୍କା ହୋଇଥିଲା। ଏଥିପାଇଁ ବେଜିଂ ମାନିଲାକୁ ଦୋଷ ଦେଇଥିଲା।