ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ ଏକ ଦ୍ରୁତଗାମି କାର ସ୍କୁଟିକୁ ଧକ୍କାଦେଇ ପାଖାପାଖି ୧୫ଫୁଟ ତଳକୁ ପାଣି ନାଳ ଭିତରକୁ ଖସି ପଡ଼ିଥିବା ବେଳେ ଏଥିରେ ସ୍କୁଟି ଆରୋହି ବାପ ଝିଅ ଗୁରୁତର ଆହତ ହୋଇଛନ୍ତି l ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାଯୋଗ୍ୟ, ବୁଢ଼ୀଖମାରି ପଞ୍ଚାୟତ ଅଧୀନ ସ୍ବରୂପ ଭିଲ୍ଲା ଗ୍ରାମର ଗୋପାଳ ପାତ୍ର ନିଜର ୬ବର୍ଷର ଝିଅ ରଶ୍ମିତା ପାତ୍ରଙ୍କୁ ସାଙ୍ଗରେ ନେଇ ସ୍କୁଟି ଯୋଗେ ରାଗ୍ଧା ଅଭିମୁଖେ ଯାଉଥିଲେ । ଏହି ସମୟରେ ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳରୁ ଏକ ପରିବାର କାରଯୋଗେ ବେତନଟୀ ଅଭିମୁଖେ ଅତ୍ୟନ୍ତ ଦ୍ରୁତଗତିରେ ଯାଉଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ପଛପଟୁ ଯାଇ ସ୍କୁଟିକୁ ଧକ୍କା ଦେଇଥିଲା।
ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଦ୍ରୁତଗାମୀ କାର ଧକ୍କାରେ ସ୍କୁଟି ଚୁରମାର ହୋଇଯାଇଥିବା ବେଳେ ବ୍ୟାରିକେ ଭାଙ୍ଗି ରାସ୍ତାପାର୍ଶ୍ୱକୁ ପାଖାପାଖି ୧୫ଫୁଟ ତଳକୁ ଖସି ପାଣିନାଳ ଭିତରେ ପଡ଼ିଥିଲେ । ସଙ୍ଗେସଙ୍ଗେ ଖବରପାଇ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୁତାର କୁମାର ମହାନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତର ଏବଂ ଆହତଙ୍କୁ ଉଦ୍ଧାରକରି ସଙ୍ଗେସଙ୍ଗେ ବାରିପଦା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ କାର ଭିତରେ ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ନିଜର ଭାଇ, ମା, ସ୍ତ୍ରୀ ଓ ପିଲା ସହିତ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି ।
Dharitri – Odisha’s No.1 Odia Daily