ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣକ କିଛିଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି। ବିହାର ଔରଙ୍ଗାବାଦ ଜିଲାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଝିଅମାନଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ। ହସପୁରା ଥାନା ଅନ୍ତର୍ଗତ ଏକ ଦଳିତ ଗ୍ରାମରେ ଜାନୁଆରୀ ୨୯ରେ ଏହି ଘଟଣା ଘଟିଥିବାବେଳେ ପୋଲିସ ସୋମବାର ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛି।
ଔରଙ୍ଗାବାଦ ଏସ୍ପି ଅମ୍ବରିଶ ରାହୁଲଙ୍କ ସୂଚନା ଅନୁଯାୟୀ, ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଉକ୍ତ ନାବାଳିକାମାନଙ୍କୁ ସେମାନଙ୍କ ପରିବାର ସଦସ୍ୟ ଗାଳିଗୁଲଜ କରିଥିଲେ ବୋଲି ଜୀବିତ ନାବାଳିକାଙ୍କ ବୟାନରୁ ଜଣାପଡ଼ିଛି। ଫଳରେ ସେମାନେ ବିଷାକ୍ତ ପଦାର୍ଥ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ଉପରେ ତଦନ୍ତ ଜାରି ରହିଛି। ତେବେ ଉକ୍ତ ଘଟଣା ସହ ଅନ୍ୟ କେହି ସମ୍ପୃକ୍ତ କି ନୁହେଁ ଜଣାପଡ଼ି ନାହିଁ। ଜାନୁଆରୀ ୨୯ରେ ୪ ନାବାଳିକାଙ୍କୁ ଗୋଟିଏ ସ୍ଥାନରେ ସମାଧି ଦିଆଯାଇଥିଲା। ଏହାର ୨ ଦିନ ପରେ ପୋଲିସକୁ ଖବର ମିଳିଥିଲା।
ଜଣେ ମୃତ ନାବାଳିକାଙ୍କ ପରିବାର ସଦସ୍ୟ କହିବା ଅନୁଯାୟୀ, ଝିଅମାନେ ବାହାରକୁ ଖେଳିବାକୁ ଯାଇଥିଲେ। ନିକଟବର୍ତ୍ତୀ ଏକ ଜମିରେ ସେମାନଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ଖବର ଦେଇଥିଲେ ।
ସୂଚନାଯୋଗ୍ୟ, ୫ ଦିନ ପୂର୍ବରୁ ଗାଜିଆବାଦର ଏକ ଆପାର୍ଟମେଣ୍ଟର ୯ମ ମହଲାରୁ ୩ ନାବାଳିକା ଭଉଣୀ ଡେଇଁ ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ପରିବାର ସମ୍ପର୍କରେ ରହସ୍ୟମୟ ଘଟଣା ପଦାକୁ ଆସିଛି। ଝିଅମାନଙ୍କ ବାପା ଚେତନ କୁମାରଙ୍କର ୩ ସ୍ତ୍ରୀ ଏବଂ ଅନ୍ୟ ପରିବାର ସଦସ୍ୟ ଉକ୍ତ ଫ୍ଲାଟ୍ରେ ଏକାଠି ରହୁଥିଲେ। ୩ ସ୍ତ୍ରୀ ସୁଜାତା, ହିନା ଏବଂ ଟିନା ସମ୍ପର୍କରେ ୩ ଭଉଣୀ। ଚେତନଙ୍କର ଜଣେ ଲିଭ୍-ଇନ୍ ପାର୍ଟନର ୨୦୧୫ରେ ରାଜେନ୍ଦ୍ରନଗର କଲୋନିର ଏକ ଫ୍ଲାଟ୍ ଛାତରୁ ଖସି ପ୍ରାଣ ହରାଇଥିଲେ। ପରେ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଥିଲା।