Categories: HomeHome Left

ବିଲୁପ୍ତିର ୧୨ ହଜାର ବର୍ଷ ପରେ ଡାୟାର ଓ୍ବଲ୍ଫ ସୃଷ୍ଟି କଲେ ବୈଜ୍ଞାନିକ

ଓ୍ବାଶିଂଟନ, ୯।୪:ଆମେରିକାର ବୈଜ୍ଞାନିକମାନେ ଜେନେଟିକ୍‌ ଇଞ୍ଜିନିୟରିଂ ମାଧ୍ୟମରେ ୧୨ ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ଡାୟାର ଓ୍ବଲ୍ଫ (ଆମେରିକାରେ ଦେଖାଯାଉଥିବା ଏକ ପ୍ରଜାତିର ଗଧିଆ) ପରି
୩ଟି ଗଧିଆ ଶାବକ ସୃଷ୍ଟି କରିଛନ୍ତି। ଏହି ଶାବକମାନେ ଏବେ ୬ ମାସର ହୋଇଥିବାବେଳେ ସେମାନଙ୍କୁ ଏକ ଗୁପ୍ତ ଏବଂ ନିରାପଦ ସ୍ଥାନରେ ରଖାଯାଇଛି। ବିଲୁପ୍ତ ପ୍ରଜାତିଙ୍କୁ ପୁନଃ ପ୍ରବର୍ତ୍ତନ କରିବା ପାଇଁ କାର୍ଯ୍ୟ କରୁଥିବା ଆମେରିକାର ଟେକ୍ସାସ୍‌ସ୍ଥିତ ବାୟୋ ଟେକ୍ନୋଲୋଜି କମ୍ପାନୀ କୋଲୋସଲ୍‌ ବାୟୋ ସାଇନ୍ସେସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଡାୟାର ଓ୍ବଲ୍ଫ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ କହିଛନ୍ତି, ଏହି ୩ ଗଧିଆ ଶାବକଙ୍କ ନାମ ରୋମୁଲସ, ରେମସ ଏବଂ ଖଲିସି ରଖାଯାଇଛି। ସେମାନଙ୍କର କେଶ ଲମ୍ବା ଏବଂ ଧଳା ରହିଛି। କୋଲୋସଲର ମୁଖ୍ୟ ବୈଜ୍ଞାନିକ ବେଥ୍‌ ସାପିରୋ କହିଛନ୍ତି, ବୈଜ୍ଞାନିକମାନେ ପ୍ରାଚୀନ ଜୀବାଶ୍ମରୁ ଡାୟାର ଓ୍ବଲ୍ଫର ଡିଏନ୍‌ଏ ବାହାର କରିଥିଲେ। ଆମେରିକାର ଓହିୟୋରୁ ମିଳିଥିବା ଡାୟାର ଓ୍ବଲ୍ଫର ୧୨ ହଜାର ବର୍ଷର ପୁରୁଣା ଦାନ୍ତ ଏବଂ ଇଦାହୋରୁ ମିଳିଥିବା ୭୨ ହଜାର ବର୍ଷର ପୁରୁଣା ଖପୁରି ଖଣ୍ଡରୁ ଗଧିଆଙ୍କ ଏହି ବିଲୁପ୍ତ ପ୍ରଜାତିର ବିଶେଷ ଗୁଣ ସମ୍ପର୍କରେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ।