ଦେବଗଡ,୧୩।୨(ଶଶାଙ୍କ ଶେଖର ଝାଙ୍କର): ସ୍କୁଲ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର। କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ ମିଶ୍ର ଥାନାରେ ଅଟକ। ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ ଆଧାରରେ ଅଟକ ରଖିଛି ପୋଲିସ। ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ପ୍ରତିବାଦରେ ସ୍କୁଲ ଫାଟକରେ ତାଲା। ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ତାଲା ପକାଇଲେ ଗ୍ରାମବାସୀ।
ସୂଚନା ଥାଉ କି, ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ପଢାଉଛନ୍ତି ପ୍ରେମର ପାଠ। ଚାଲିଥିବା ପ୍ରେମ ସପ୍ତାହ ଅବସରରେ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗ୍ରାମ ପଂଚାୟତ ସଦର ମହକୁମାସ୍ଥିତ କୁଣ୍ଢେଇଗୋଳା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ଖାଇବା ଛୁଟି ସମୟରେ ବିଦ୍ୟାଳୟର କେତେକ ଛାତ୍ରୀଙ୍କୁ ଗୁଲଗୁଲା ଓ ସିଙ୍ଗଡା ବୋଲି ଡାକିବା ସହିତ ‘ଆଜି କି ଡେ’ ବୋଲି ପଚାରିଥିଲେ । ଏପରିକି କେଉଁଦିନ ହଗ ଡେ’, କେଉଁଦିନ ପ୍ରପୋଜ ଡେ’ ଓ କେଉଁଦିନ ଚକୋଲେଟ ଡେ’ ସେ ସମ୍ପର୍କରେ ପାଠ ପଢ଼ାଇବା ସହ ସେମାନଙ୍କୁ ଚକୋଲେଟ ମାଗିଥିଲେ। ଏହାସହ ସେମାନଙ୍କୁ କୁଆଡେ ନାଲି ଆଖି ଦେଖାଇଥିଲେ । ବୁଧବାର ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ଛାତ୍ରୀମାନେ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ଗୁରୁବାର ଏକାଧିକ ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ନାରାୟଣ ସାହୁଙ୍କୁ ଜଣାଇବାସହ ସମ୍ପୃକ୍ତ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ।
ପରେ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନେଇ ଏକ ବୈଠକ ବସିଥିଲା ଜଣାପଡିଛି । ସୂଚନା ପାଇ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି କିସାନଙ୍କ ସହିତ ଫୋନଯୋଗେ ଆଲୋଚନା କରିବାସହ ଆବଶ୍ୟକସ୍ଥଳେ ଆଇନର ଆଶ୍ରୟ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ଏନେଇ ଅଭିଯୁକ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ମିଶ୍ରଙ୍କ ମତାମତ ମିଳିପାରିନାହିଁ । ସର୍ବଶେଷ ସୁଚନା ଅନୁଯାୟୀ, ଜନୈକା ଛାତ୍ରୀ ଅଭିଭାବକ କୁଣ୍ଢେଇଗୋଳା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।