ସ୍କୁଲ୍‌

 

ବିଦ୍ୟାର ମନ୍ଦିର ହେଉଛି ବିଦ୍ୟାଳୟ। ଯେଉଁଠି ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥୀଟିଏ ବଡ଼ ମଣିଷ ହେବାର ସ୍ବପ୍ନ ଦେଖେ। ତେବେ ପୃଥିବୀର ଅଧିକାଂଶ ସ୍ଥାନରେ ଛୋଟ ବଡ଼ ଅନେକ ସ୍କୁଲ ରହିଛି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ ସ୍ବତନ୍ତ୍ର କେତୋଟି ସ୍କୁଲ୍‌ ସମ୍ପର୍କରେ…
ଚାଇନାର ଚେଙ୍ଗ୍‌ଡୁଠାରେ ରହିଛି ପୃଥିବୀର ସର୍ବପୁରାତନ ସ୍କୁଲ୍‌, ଯାହାର ନାମ ଶିଶି ହାଇସ୍କୁଲ୍‌। ଏହି ସ୍କୁଲ୍‌ ୧୪୧-୧୪୩ ମସିହା ବେଳକୁ ଆରମ୍ଭ ହୋଇଥିଲା। ୧୯୦୨ ମସିହାରେ ଏହାକୁ ଆଧୁନିକୀକରଣ କରାଯାଇଥିଲା।
ପୃଥିବୀର ସବୁଠୁ ଉଚ୍ଚତମ ସ୍କୁଲ୍‌ ରହିଛି ତିବ୍ବତର ଫୁମା ଚାଙ୍ଗଥାଙ୍ଗ୍‌ରେ। ଏହା ସମୁଦ୍ରପତନଠାରୁ ପ୍ରାୟ ୫,୩୭୫ ମିଟର ଅର୍ଥାତ୍‌ ପୃଥିବୀର ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟର ବେସ୍‌ କ୍ୟାମ୍ପଠାରୁ ୨୦୦ ମିଟର ଉଚ୍ଚତାରେ ଅବସ୍ଥିତ।
ବାଂଲାଦେଶରେ ଅଧିକାଂଶ ସମୟରେ ବନ୍ୟା ହେଉଥିବାରୁ ସେଠାରେ ପ୍ରାୟ ୧୦୦ରୁ ଅଧିକ ଭାସମାନ ସ୍କୁଲ୍‌ ବା ଡଙ୍ଗା ଉପରେ ସ୍କୁଲ ରହିଛି। ତେବେ ଏହି ସ୍କୁଲ୍‌ଗୁଡିକ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ବେଳେ ସେଥିରେ ପାଠାଗାର ଏବଂ ଇଣ୍ଟରନେଟ୍‌ର ବ୍ୟବସ୍ଥା ମଧ୍ୟ ରହିଛି।
ପୃଥିବୀର ସର୍ବାଧିକ ସଂଖ୍ୟକ ଛାତ୍ରୀଛାତ୍ର ଥିବା ସ୍କୁଲ୍‌ ରହିଛି ଆମ ଦେଶରେ। ଉତ୍ତର ପ୍ରଦେଶ ରାଜ୍ୟର ଲକ୍ଷ୍ମୌଠାରେ ଥିବା ଏହି ସିଟି ମଣ୍ଟେଶ୍ୱରୀ ସ୍କୁଲ୍‌କୁ ପ୍ରତିଦିନ ୫୬ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପଢ଼ିବାକୁ ଆସନ୍ତି, ଯେଉଁଥିପାଇଁ ଏହି ସ୍କୁଲ୍‌ର ନାମ ୨୦୧୯ ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡରେ ସ୍ଥାନ ପାଇଛି।
ଇଟାଲୀରେ ଥିବା ଟ୍ୟୁରିନ୍‌ରେ ରହିଛି ପୃଥିବୀର ସବୁଠୁ ଛୋଟ ସ୍କୁଲ୍‌। ୨୦୧୪ ମସିହାରେ ଏହି ସ୍କୁଲ୍‌ରେ ମାତ୍ର ଜଣେ ଶିକ୍ଷକ ଏବଂ ଜଣେ ଛାତ୍ର ହିଁ ଥିଲେ।
ଫିଲିପାଇନ୍ସରେ ରହିଛି ଏକ ବଟଲ୍‌ ସ୍କୁଲ୍‌। ନାଁ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ତେବେ ଏହି ସ୍କୁଲ୍‌ର ଏପରି ନାମକରଣ କରାଯିବାର କାରଣ ହେଉଛି ଏହା ପ୍ରାୟ ୯୦୦୦ଟି ପୁନଃ ବ୍ୟବହାରଯୋଗ୍ୟ ପପ୍‌ ବୋତଲରେ ନିର୍ମାଣ କରାଯାଇଛି। ଏହି ବୋତଲକୁ ମଜଭୁତ କରିବା ଲାଗି ନଡ଼ା, ବାଲି ଏବଂ ସିମେଣ୍ଟ ବ୍ୟବହାର କରାଯାଇଛି।