ସ୍କୁଲ୍‌ ଛାତ୍ରୀଙ୍କୁ ବଳାତ୍କାର ମାମଲା: ମହନ୍ତ ଶିବମୂର୍ତ୍ତି ଗିରଫ

ବେଙ୍ଗାଲୁରୁ,୧ା୯: ନାବାଳିକା ଯୌନ ନିର୍ଯାତନା ଓ ବଳାତ୍କାର ମାମଲାରେ କର୍ନାଟକର ଏକ ପ୍ରମୁଖ ଲିଙ୍ଗାୟତ ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଛି। ଦୁଇ ସ୍କୁଲ୍‌ ଛାତ୍ରୀଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଅଭିଯୋଗକୁ ମହନ୍ତ ଖଣ୍ଡନ କରିବା ସହ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଯୌନ ନିର୍ଯାତନ ଅଭିଯୋଗ ପରେ ମହନ୍ତଙ୍କୁ ଗିରଫ କରିବା ଲାଗି ମୁରୁଘା ମଠର କେତେଜଣ କର୍ମଚାରୀଙ୍କ ସମେତ ଦଳିତ ସମ୍ପ୍ରଦାୟ ପକ୍ଷରୁ ଜୋର୍‌ଦାର ଦାବି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଙ୍ଗାୟତ ନେତା ବି.ଏସ୍‌. ୟେଦୁରପ୍ପା ମହନ୍ତଙ୍କୁ ସମର୍ଥନ କରିବା ସହ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା କହିଥିଲେ।ବଳାତ୍କାର ଅଭିଯୋଗ ପରେ ଫେରାର ଥିବା ସନ୍ଥଙ୍କ ବିରୋଧରେ ରାଜ୍ୟ ପୋଲିସ ଗୁରୁବାର ଲୁକ୍‌ଆଉଟ ନୋଟିସ ଜାରି କରିଥିଲା। ମହନ୍ତ ଯେପରି ଦେଶଛାଡ଼ି ନ ଯାଆନ୍ତି ସେଥିପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦର ସମେତ ସମସ୍ତ ଚେକ୍‌ପଏଣ୍ଟ କର୍ତ୍ତୃପକ୍ଷଙ୍କୁ ସତର୍କ କରିଦିଆଯାଇଥିଲା। ଯୌନ ନିର୍ଯାତନା ମାମଲାର ତଦନ୍ତରେ ତ୍ରୁଟି ରହିଥିବା ଦର୍ଶାଇ ଆଇନଜୀବୀମାନଙ୍କ ଏକ ଟିମ୍‌ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଲାଗି ଦାବି କରିଛି। ମଠ ଦ୍ୱାରା ପରିଚାଳିତ ସ୍କୁଲ୍‌ ହଷ୍ଟେଲ୍‌ର ମୁଖ୍ୟ ଓ୍ବାଡେନ୍‌ଙ୍କୁ ପୋଲିସ ଅଟକ ରଖିଛି। ୨ ନାବାଳିକା ପୀଡ଼ିତାଙ୍କ ଅଭିଯୋଗକ୍ରମେ ମହୀଶୂର ସିଟି ପୋଲିସ ସନ୍ଥ ଶିବମୂର୍ତ୍ତିଙ୍କ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁଯାୟୀ ମଠ ପରିଚାଳିତ ସ୍କୁଲ୍‌ରେ ପଢ଼ୁଥିବା ୧୫ ଓ ୧୬ ବର୍ଷର ଦୁଇଜଣ ଛାତ୍ରୀଙ୍କୁ ମହନ୍ତ ୩.୫ ବର୍ଷ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ। ଗତ ଜୁଲାଇ ୨୪ରେ ୨ ଛାତ୍ରୀ ହଷ୍ଟେଲ ଛାଡ଼ି ପଳାଇଆସି ୨୫ ତାରିଖରେ କଟନପେଟ୍‌ ଥାନାରେ ଅଭିଯୋଗ କରିଥିଲେ।